
ବାଲିଗୁଡ଼ା,୨୦/୫{ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜିଲ୍ଲା ସିର୍ତ୍ତିଗୁଡା ଗ୍ରାମପଞ୍ଚାୟତର ଜୁରୁକୁପଡା ଗ୍ରାମରେ ବଦଳୁନି ଲୋକଙ୍କ ସମସ୍ୟା। ଗ୍ରାମରେ କୂଅ ଏବଂ ନଳକୂପ ଥିଲେ ମଧ୍ଯ ପାଣି ପାଇଁ ଲୋକେ ଡହକବିକଳ ହେଉଛନ୍ତି। କୂଅ ଥିଲେ ମଧ୍ୟ ଖରା ଦିନରେ ପାଣି ଶୁଖିଯାଇଥାଏ। ଯାହାରି ଫଳରେ ଗ୍ରାମଠାରୁ ପ୍ରାୟ 1 କିଲୋମିଟର ଦୂରରେ ଥିବା ଏକ ନାଳରୁ ଚୁଆଁ ଖୋଳି ସେହି ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରନ୍ତି। ଖରାଦିନେ ପ୍ରତ୍ୟେକ ପରିବାର ଏହି ଚୁଆଁ ଉପରେ ନିର୍ଭର କରିଥାନ୍ତି। ସେହି ପାଣିକୁ ମଧ୍ୟ ଗାଈଗୋରୁ , ଛେଳି ଏବଂ ମେଣ୍ଢା ଆଦି ସ୍ଥଳଚର ପ୍ରାଣୀ ପିଇବା ପାଇଁ ବ୍ୟବହାର କରନ୍ତି। ଗ୍ରାମରେ ୪୫ ପରିବାର ରୁହନ୍ତି। ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ଜଳପ୍ରକଳ୍ପ ପାଇଁ ଅର୍ଥ ବିନିଯୋଗ କଲେ ମଧ୍ୟ ଏହିଭଳି ଯୋଜନା ଜୁରୁକୁପଡା ଗ୍ରାମକୁ ପହଂଚି ନାହିଁ। ଏହି ସମସ୍ୟା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ସିର୍ତ୍ତିଗୁଡା ପଞ୍ଚାୟତ ର ଜୁରୁକୁପଡା ଗ୍ରାମରେ। ପାଣିର ସମସ୍ୟା ସୁଧୁରିବା ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ଗ୍ରାମବାସୀ।




