
ଭୁବନେଶ୍ୱର,୨୦/୦୫/୨୧ (ଜିଲ୍ଲା ଖବର) : ଆସୁଛି ଆଉ ଏକ ବାତ୍ୟା । ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । କ୍ରମେ ଏହା ଘନୀଭୂତ ହୋଇ ୭୨ ଘଣ୍ଟା ପରେ ବାତ୍ୟା ରୂପ ନେବ । ୨୫ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ ଲଘୁଚାପ କ୍ଷେତ୍ର । ମେ’ ୨୬ ତାରିଖରେ ଏହା ଉପକୂଳ ଆଡ଼େ ମୁହାଁଇବ । ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଏହା ଉପକୂଳ ଛୁଇଁବ ବୋଲି ଅନୁମାନ କରାଯାଉଛି । ତେବେ କେଉଁଠି ଏହା ଉପକୂଳ ଛୁଇଁବ, ଏବେଠୁ କହିବା ସମ୍ଭବ ନୁହେଁ ବୋଲି କହିଛନ୍ତି ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ତେବେ ଆସନ୍ତା ୨୫ ତାରିଖ ସନ୍ଧ୍ୟାରୁ ଓଡ଼ିଶାରେ ବର୍ଷା ହେବା ଆରମ୍ଭ ହୋଇଯିବ। ଏହି ସମୟରେ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି । ନୂଆ ବାତ୍ୟା ଆସିବାର ଆଶଙ୍କାରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଏହା ଧୀରେ ଧୀରେ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ବର୍ତ୍ତମାନର ମଡେଲକୁ ଦେଖି ବିଭିନ୍ନ ପାଣିପାଗ ସଂସ୍ଥା ବାତ୍ୟା ପୂର୍ବନୁମାନ କରୁଛନ୍ତି । ବର୍ତ୍ତମାନ ସମୁଦ୍ର ଭିତରେ ତାପମାତ୍ରା ସୁହାଉଛି । ଫଳରେ ଲଘୁଚାପ ଡିପ୍ରେସନ ଓ ପରେ ବାତ୍ୟାର ରୂପ ନେବ ବୋଲି ବିଶେଷଜ୍ଞ କହୁଛନ୍ତି ।


