
ଭୁବନେଶ୍ୱର, ୧୯/୦୫/୨୧ (ଜିଲ୍ଲା ଖବର) : ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ପୁଅ ତଥା ପୂର୍ବତନ ରଣଜୀ ଖେଳାଳୀ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ । କୋରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି । ଏନେଇ ଏମ୍ସ ସୁପରିଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।
ପୂର୍ବରୁ ବାପା ପଦ୍ମଶ୍ରୀ ରଘୁନାଥ ମହାପାତ୍ର କରୋନାରେ ସଂକ୍ରମିତ ହୋଇ ମୃତ୍ୟବରଣ କରିଛନ୍ତି। ବାପ-ପୁଅ କରୋନା ସଂକ୍ରମିତ ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମେ ୯ ତାରିଖ ଅପରାହ୍ଣରେ ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଥିଲା । ପ୍ରଶାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ପ୍ରଶାନ୍ତ ମହାପାତ୍ରଙ୍କର ମଧ୍ୟ ମୃତ୍ୟୁ ହୋଇଛି ।
ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି । ତାଙ୍କ ଦିବ୍ୟ ଆତ୍ମାର ସଦଗତି ପାଇଁ ମହାବାହୁଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହାସହ ପୂର୍ବତନ ସାଂସଦ ତଥା ଆଇପିଏଲର ପୂର୍ବତନ ଚେୟାରମ୍ୟାନ ରଞ୍ଜୀବ ବିଶ୍ୱାଳ ମଧ୍ୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ପ୍ରାର୍ଥନା କରିଛନ୍ତି ।


