
ଭୁବନେଶ୍ଵର,୧୯/୦୫/୨୧ (ଜିଲ୍ଲା ଖବର) : ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏବଂ ସମାଜସେବୀ ବୃନ୍ଦାବନ କଳସଙ୍କ ‘ସ୍ମୃତିସଭା’ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଟ୍ଵିଟ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଖ୍ୟାତିସମ୍ପନ୍ନ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ, ରାଜ୍ୟସଭା ସାଂସଦ ସ୍ୱର୍ଗତ ରଘୁନାଥ ମହାପାତ୍ର ଏବଂ ଆମ ଦଳ ବିଜେପିର ବରିଷ୍ଠ ନେତା, ପୂର୍ବତନ ରାଜ୍ୟ ବିଜେପି ଉପସଭାପତି ତଥା ବିଶିଷ୍ଟ ସମାଜସେବୀ ବୃନ୍ଦାବନ କଳସଙ୍କ ସ୍ମୃତିରେ ଦଳ ପକ୍ଷରୁ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ‘ସ୍ମୃତିସଭା’ରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି।
ସ୍ୱର୍ଗତ ରଘୁନାଥ ମହାପାତ୍ର ନିଜର ନିଖୁଣ କାରୁକାର୍ଯ୍ୟ ମାଧ୍ୟମରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଓଡ଼ିଶାକୁ ସମ୍ମାନିତ କରିଥିଲେ । ଜଣେ ଲବ୍ଧ ପ୍ରତିଷ୍ଠିତ ଶିଳ୍ପୀ ଭାବରେ ସ୍ଥପତି କ୍ଷେତ୍ରରେ ଅତୁଳନୀୟ ଯୋଗଦାନ ଯୋଗୁଁ ସେ ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ଵାରା ରାଜ୍ୟସଭାକୁ ମନୋନୀତ ହୋଇଥିଲେ।
ସେହିପରି ଆମ ଦଳକୁ ସଂଗଠିତ ଓ ସୁଦୃଢ କରିବାରେ ସ୍ୱର୍ଗତ ବୃନ୍ଦାବନ କଳସଙ୍କ ଅବଦାନ ମଧ୍ୟ ଥିଲା ଅତୁଳନୀୟ । ଉଭୟଙ୍କ ଭଳି ବ୍ୟକ୍ତିତ୍ୱଙ୍କ ନିଧନ ହେବା ଆମ ସମସ୍ତଙ୍କ ପାଇଁ ବ୍ୟକ୍ତିଗତ କ୍ଷତି ।


