
ଜଟଣୀ,୧୮/୫(ଜିଲ୍ଲା ଖଵର) : ପୁର୍ବତଟ ରେଳପଥର ଖୋର୍ଦ୍ଧାରୋଡ ରେଳମଣ୍ଡଳରେ କୋଭିଡ ପରିଚାଳନାପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରେଳହସ୍ପିଟାଲରେ କରୋନା ରୋଗୀମାନଙ୍କଲାଗି ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟସେବା କେନ୍ଦ୍ର ଖୋଲାଯାଇଛି । ସାମାନ୍ୟରୁ ମଧ୍ୟମ ଧରଣର କରୋନା ପଜିଟିଭ ରୋଗୀମାନଙ୍କ ପାଇଁ ଏହି ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟସେବା ମାଧ୍ୟମରେ ଉତମ ଏବଂ ସ୍ୱତନ୍ତ୍ର ଭାବରେ ଚିକିତ୍ସା କରାଯାଉଛି । କୋଭିଡ ରୋଗୀମାନଙ୍କ ପାଇଁ ଏହି ରେଳହସ୍ପିଟାଲରେ ୮୦ଟି ଶଯ୍ୟା ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ଜରୁରିକାଳୀନ ପରିସ୍ଥିତିରେ ଉପଲବ୍ଧ ଅମ୍ଳଜାନ ସିଲିଣ୍ଡର ସହିତ ୪୨ଟି ଶଯ୍ୟାରେ ମଧ୍ୟ ଅମ୍ଳଜାନ ପାଇପଲାଇନ ସଂଯୋଗ ରହିଛି । ଜରୁରିକାଳିନ ତଥା ଗୁରୁତର ପରିସ୍ଥିତିରେ କୋଭିଡ ପଜିଟିଭ ରୋଗୀଙ୍କୁ ଉନ୍ନତ ଚିକିତ୍ସାଲାଗି ଭୂବନେଶ୍ୱର ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲକୁ ପଠାଯାଉଛି ।ରୋଗୀମାନଙ୍କ ଉନ୍ନତ ଚିକିତ୍ସାଲାଗି ଡିଭିଜନାଲ ରେଳପଥ ହସ୍ପିଟାଲର ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀମାନଙ୍କୁ ବୃତିଗତ ତାଲିମ ଦିଆଯାଉଛି । ଡାକ୍ତରଖାନାରେ ଭର୍ତି ହୋଇଥିବା ରୋଗୀମାନଙ୍କୁ ସନ୍ତୁଳିତ ଖାଦ୍ୟ ,ବର୍ଦ୍ଧିତ ଚିକିତ୍ସା ସେବା ପ୍ରଦାନ କରାଯିବା ସହିତ ସେମାନଙ୍କର ସ୍ଥିତି ମନିଟରିଂ କରାଯାଉଛି । ରେଳପଥ କର୍ମଚାରୀ ଏବଂ ସେମାନଙ୍କର ପରିବାରବର୍ଗ ଯେଉଁମାନେ ଗୃହ ସଂଗରୋଧରେ ରହିବାପାଇଁ ପରାମର୍ଶ ଦିଆଯାଇଛି, ସେମାନଙ୍କୁ ଔଷଧ କିଟ ଯୋଗାଇ ଦିଆଯାଉଛି । ରେଲୱେ ଡାକ୍ତରଙ୍କଠାରୁ ନିୟମିତ ପରାମର୍ଶ ନେବାପାଇଁ ସଚେତନତା କରାଯାଇଛି । କୈାଣସି ସ୍ୱାସ୍ଥ୍ୟ ସମସ୍ୟା ହେଲେ କାଜୁଆଲଟି ଉପଲବ୍ଧ କୋଭିଡ ହେଲ୍ପଡେକ୍ସ ମାଧ୍ୟମରେ ସେମାନଙ୍କୁ ସାହାଯ୍ୟ ମାଗିବାକୁ ପରାମର୍ଶ ଦିଆଯାଇଛି । ଯେଉଁ ବ୍ୟକ୍ତି ଲକ୍ଷଣହୀନ କିମ୍ବା କୋଭିଡ ପଜିଟିଭଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେହି କର୍ମଚାରୀ ଏବଂ ନିର୍ଭରଶିଳଙ୍କ ପାଇଁ ରୋଗୀ ଡିସପେନସାରୀରେ ପ୍ରତିଦିନ ରାପିଡ ଆଟିଂଜେନ ଟେଷ୍ଟ କରାଯାଉଛି । ଆଜି ପର୍ଯ୍ୟନ୍ତ ୨୨୪୦ କର୍ମଚାରୀ ଏବଂ ସେମାନଙ୍କର ନିର୍ଭରଶିଳ ପରିବାର ବର୍ଗଙ୍କର ରାପିଡ ଆଟିଂଜେନ ପରୀକ୍ଷଣ କରାଯାଇଛି । ଅନ୍ୟପଟେ ରେଳ କର୍ମଚାରୀ ଓ ସେମାନଙ୍କର ପରିବାରବର୍ଗଙ୍କୁ ଶିଘ୍ର ଟୀକାକରଣ ପାଇଁ ଡିଭିଜନାଲ ରେଳହସ୍ପିଟାଲ ଯୋଜନା କରୁଛି । ଟୀକାଗ୍ରହଣ ପାଇଁ ଜିଲା ପ୍ରଶାସନ ସହିତ ନିରନ୍ତର ସମନ୍ୱୟ ରଖିଛି ବୋଲି କୁହାଯାଇଛି । ଆଜି ସୁଧା ୧୫୪ଜଣ ସ୍ୱାସ୍ଥ୍ୟସେବା କର୍ମଚାରୀ, ୧୦୮୧ ଆରକ୍ଷୀ କର୍ମଚାରୀ, ୪୫ ବର୍ଷରୁ ଅଧିକ ବୟସର ୧୦୯୯ଜଣ ରେଳକର୍ମଚାରୀଙ୍କ ସହିତ ୧୦୩୩ଜଣ ଅନ୍ୟ ନିର୍ଭରଶିଳ ପରିବାରବର୍ଗ ତଥା ଆରଇଏଲଏଚଏସ କାର୍ଡ ଧାରକଙ୍କୁ ବିଭାଗୀୟ ରେଳଡାକ୍ତରଖାନାରେ କୋଭିଡ ଟିକା ଦିଆଯାଇଛି । ଖୋର୍ଦ୍ଧାରୋଡ ରେଳମଣ୍ଡଳ ପ୍ରବନ୍ଧକ ଶଶିକାନ୍ତ ସିଂ ମୂଖ୍ୟ ଚିକିତ୍ସା ଅଧିକ୍ଷକ ତଥା ଡାକ୍ତରଙ୍କ ସହିତ ଏସମନ୍ଧରେ ଯୋଗାଯୋଗ ଓ ସମନ୍ୱୟ ରକ୍ଷାକରି ବ୍ୟବସ୍ଥା ଉପରେ ଦୃଷ୍ଟିଦେଇଥିବା କହିଛନ୍ତି । ମହାମାରୀ କରୋନା ବିପତି ସମୟରେ ରେଳପଥ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀମାନଙ୍କ ଦ୍ୱାରା ଦିଆଯାଉଥିବା ଅହର୍ନିଶ ସେବାଲାଗି ସେମାନଙ୍କୁ ପ୍ରବନ୍ଧକ ପ୍ରସଂଶା କରିଛନ୍ତି ।
ରିପୋର୍ଟ, ସଞ୍ଜୀବ କୁମାର ।


