
ନୂଆଦିଲ୍ଲୀ,୧୮/୦୫/୨୧ (ଜିଲ୍ଲା ଖବର) : ଅନେକ ଲୋକଙ୍କ ଜୀବନକୁ ଛାରଖାର କରି ଦେଲାଣି ଏହି ମହାମାରୀ କରୋନା । ପ୍ରତିଦିନ ଅନେକ ଲୋକ କରୋନା ସଂକ୍ରମିତ ହେବା ସହିତ, ଅନେକ ଲୋକ କରୋନାରେ ଆଖି ବୁଜୁଛନ୍ତି । ତେବେ ମନୋରଞ୍ଜନ ଦୁନିଆଁ ଉପରେ ଏହାର ପ୍ରଭାବ ଅଧିକ ପଡୁଥିବା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଅନେକ କଳାକାର କରୋନା ସଂକ୍ରମିତ ହେବା ସହିତ , ଅନେକ କଳାକାରଙ୍କୁ ହରାଇଲାଣି ଇଣ୍ଡଷ୍ଟ୍ରି । ଏଥିରୁ ବାଦ୍ ପଡି ନାହାଁନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ପରିବାର। ଗତ କିଛି ଦିନ ପୂର୍ବରୁ ଶିଳ୍ପାଙ୍କ ପୁରା ପରିବାର କରୋନା ସଂକ୍ରମିତ ହୋଇଥିଲେ ।
ଶିଳ୍ପାଙ୍କ ପୁରା ପରିବାର କରୋନା ସଂକ୍ରମିତ ହେବା ପରେ ,ନିକଟରେ ଶିଳ୍ପା ଶେଟ୍ଟୀଙ୍କ ଏକ ହୃଦୟସ୍ପର୍ଶି ଫଟୋ ସାମ୍ନାକୁ ଆସିଛି । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଶିଳ୍ପା ଡବଲ ମାସ୍କ ପିନ୍ଧି ରାଜ୍ କୁନ୍ଦ୍ରାଙ୍କ ସହ ନଜର ଆସୁଛନ୍ତି । ଏକ କାଚର ଏପାଖେ ଶିଳ୍ପା ଥିବାବେଳେ, ସେପାଖେ ଅଛନ୍ତି ରାଜ୍ । ଦୁହେଁ ଦୁହିଁଙ୍କୁ ଛୁଇଁ ପାରୁ ନାହାଁନ୍ତି ସତ, ହେଲେ ଦେଖିଲେ ଲାଗୁଛି ଦୁହେଁ ଦୁହିଁଙ୍କର ଏକଦମ୍ ପାଖାପାଖି ଅଛନ୍ତି । ମୁହଁରେ ମାସ୍କ ଲଗାଇ ସ୍ବାମୀଙ୍କୁ ପ୍ୟାରଭରା ଅନ୍ଦାଜରେ ଦେଖୁଛନ୍ତି ଶିଳ୍ପା । କେବଳ ଶିଳ୍ପା ନୁହଁନ୍ତି ରାଜ୍ ମଧ୍ୟ ତାଙ୍କୁ ଅପଲକ ନୟନରେ ଚାହିଁଛନ୍ତି ।
ପ୍ରକାଶ ଥାଉକି, ଗତ କିଛି ଦିନ ପୂର୍ବରୁ ଅଭିନେତ୍ରୀ ଶିଳ୍ପା ଶେଟ୍ଟି ସୂଚନା ଦେଇଥିଲେ ଯେ, ତାଙ୍କ ବ୍ୟତୀତ ତାଙ୍କର ପୁରା ପରିବାର କରୋନା ସଂକ୍ରମିତ ହୋଇଛନ୍ତି । ପରିବାରର ସମସ୍ତ ସଦସ୍ୟ ଏବେ ହୋମ କ୍ବାରେଣ୍ଟାଇନରେ ଅଛନ୍ତି ।
ତେବେ ଶିଳ୍ପା ନିକଟରେ ତାଙ୍କ ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରି ଲେଖିଛନ୍ତି ଯେ, ‘କରୋନା ସମୟର ପ୍ରେମ । କରୋନା ପ୍ୟାର ହେ । ଆପଣ ସମସ୍ତଙ୍କ ଭଲପାଇବା ଏବଂ ପ୍ରାର୍ଥନା ପାଇଁ ଧନ୍ୟବାଦ୍’ । ତାଙ୍କର ଏହି ଫଟୋକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଦେଖୁ ଦେଖୁ ଫଟୋଟି ବେଶ ଭାଇରାଲ ହେବାରେ ଲାଗିଛି ।


