
ଜଟଣୀ,୧୬/୫(ଜିଲ୍ଲା ଖଵର) : ମେଜର ବ୍ରଜସୁନ୍ଦର ମହାପାତ୍ର ପ୍ରାକ୍ତନ ଅଧ୍ୟକ୍ଷ, ବିଶିଷ୍ଟ ଶିକ୍ଷାବିତ୍, ସାହିତ୍ୟିକ, ଜଟଣୀ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭ୍ୟ, ଜଟଣୀ ପୁସ୍ତକ ମେଳାର ଆଜୀବନ କାର୍ଯ୍ୟକାରୀ ମୁଖ୍ୟ ତଥା ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ: ବିପିନ ବିହାରୀ ପାଠାଗାରର ସହଯୋଗୀ ଅଂଶୀଦାର ଓ ଉପଦେଷ୍ଟା, ଆଜି ଆଉ ଆମ ଗହଣରେ ନାହାନ୍ତି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ବେସରକାରୀ ଚିକିତ୍ସାଳୟରେ କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ସେ ମହାଶୟ ଅତ୍ୟନ୍ତ ସ୍ନେହବତ୍ସଳ ଏବଂ ମିଷ୍ଟଭାଷୀ । ତାଙ୍କୁ ଆମ ଅନୁଷ୍ଠାନ ବିପିନ ବିହାରୀ ପାଠାଗାର ତରଫରୁ ୨୦ ଡିସେମ୍ବର ୨୦୨୦ରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେ ଜଣେ ବହୁମୁଖୀ ପ୍ରତିଭାର ବ୍ୟକ୍ତିତ୍ୱ ଥିଲେ । ଆମ ଅଂଚଳର ସେ ଥିଲେ ଜଣେ ସ୍ପର୍ଦ୍ଧିତ ସ୍ୱର ‘ବ୍ରଜସାର’ ।
କିଛିଦିନ ତଳେ ସେ ସସ୍ତ୍ରୀକ କରୋନାରେ ଆକ୍ରାନ୍ତ ଥିଲେ । ତାଙ୍କର ଏକମାତ୍ର ପୁତ୍ର ଅମ୍ଲାନ ମହାପାତ୍ର ଯିିଏ କି ନାଲ୍କୋ ଭୁବନେଶ୍ୱରର ଜଣେ ଉଚ୍ଚପଦସ୍ଥ ଅଧିକାରୀ । ସେ ଏହି ଖବର ପାଇ ସେମାନଙ୍କୁ ନେଇ ଭୁବନେଶ୍ୱରରେ ଏକ ବେସରକାରୀ ଡାକ୍ତରଖାନାରେ ଭର୍ତି କରାଇଥିଲେ । ଦୁଃଖ ଯେ ଏବେ ଗୁରୁମା’ ସୁଲୋଚନା ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଚିକିତ୍ସାଧିନ ଥିବା ବେଳେ ଆମର ପ୍ରିୟ ଗୁରୁଦେବ ଚାଲିଗଲେ ।
ଆଜି ଗୁରୁଦେବଙ୍କ ଉଦ୍ଦେଶ୍ୟରେ ଆମ ଅନୁଷ୍ଠାନ ତରଫରୁ କରୋନା କଟକଣା ମଧ୍ୟରେ ଏକ ଆଭାଷୀ ଶୋକସଭାର ଆୟୋଜନ କରାଯାଇଥିଲା । ପ୍ରଥମେ ତାଙ୍କ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରି ୨ ମିନିଟ୍ ନୀରବ ପ୍ରାର୍ଥନା ସହ ଗୁରୁମା’ଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଥିଲା ।
ଉକ୍ତ ଶ୍ରଦ୍ଧାଞ୍ଜଳି ସଭାର ପରିଚାଳନା କରିଥିଲେ ଅନୁଷ୍ଠାନର ଅଧ୍ୟକ୍ଷ ବିପିନବିହାରୀ ମହାନ୍ତି । ଏଥିରେ ଅଂଶଗ୍ରହଣ କରିଥିଲେ ତ୍ରିଲୋଚନ ମହାପାତ୍ର, ଜବାହରଲାଲ ସୁବୁଦ୍ଧି, ସୌଦାମିନୀ ବେହେରା, ରଶ୍ମିତା ନାୟକ, ସରୋଜିନୀ ଜେନା, ସୁମିତାମୟୀ ସାହୁ, ରବୀନ୍ଦ୍ର କୁମାର ଦାସ, ରବୀନ୍ଦ୍ର କୁମାର ରାଉତରାୟ, ପ୍ରହଲ୍ଲାଦ ସ୍ୱାଇଁ, ରବି ସ୍ୱାଇଁ, ପ୍ରଦୀପ୍ତ କୁମାର ସାହୁ ଓ ଆଦିନାରାୟଣ ଖଣ୍ଡୁଆଳ ।
ରିପୋର୍ଟ, ସଞ୍ଜୀବ କୁମାର


