
୧୫/୦୫/୨୧ (ଜିଲ୍ଲା ଖବର) : ଘନିଭୂତ ହେଉଛି ସାମୁଦ୍ରିକ ଝଡ ତଉକତେ । ଆଜି ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ସାଇକ୍ଲୋନିକ୍ ଷ୍ଟର୍ମ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଆସନ୍ତାକାଲି ସକାଳ ସାଢ଼େ ୧୧ଟା ବେଳକୁ ଏହା ତୀବ୍ର ସାମୁଦ୍ରିକା ଝଡ଼ (ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ) ରୂପ ଧାରଣ କରିବ । ଏହା ଆସନ୍ତା 18 ତାରିଖ ବେଳକୁ ଗୁଜୁରାଟ ଉପକୂଳ ପାଖାପାଖି ପହଞ୍ଚିବ । ଭାରତୀୟ ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି । ଏଥିରେ ସମ୍ଭାବ୍ୟ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଓଡିଶା ଏନଡ଼ିଆରଏଫ , ମୁଣ୍ଡଳି ଶାଖା ପକ୍ଷରୁ 5 ଟି ଟିମ ପଠା ଯାଇଛି । ଏହି ଟିମ ଗୁଡିକ ସ୍ପେସିଆଲ ଫ୍ଲାଇଟ ସାହାଯ୍ୟରେ ଗୁଜୁରାଟ ନିଆଯାଉଛି । ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ଧାରଣ କରି ଗୁଜରାଟ ଉପକୂଳ ଅତିକ୍ରମ ବେଳେ ପବନରେ ବେଗ ଘଣ୍ଟାପ୍ରତି ୧୫୦-୧୬୦ କିଲୋମିଟର ରହିପାରେ । ଲଘୁଚାପ ଯୋଗୁଁ ଗୁରୁବାର ରାତିରୁ କେରଳରେ ଆରମ୍ଭ ହୋଇଯାଇଛି ପ୍ରବଳ ଝଡ଼ବାତ୍ୟା । ଅଶାନ୍ତ ହୋଇପଡ଼ିଛି ସମୁଦ୍ର । ପ୍ରଶାସନ ତରଫରୁ ବିଭିନ୍ନ ତଳିଆ ଅଂଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହିତ ସେମାନଙ୍କ ପାଇଁ ରିଲିଫ୍ କ୍ୟାମ୍ପ୍ ଖୋଲାଯାଇଛି । ପରିସ୍ଥିତି ସମ୍ଭାଳିବାକୁ କେନ୍ଦ୍ର ତରଫରୁ ଏନଡ଼ିଆରଏଫର ୯ ଟି ଟିମକୁ କେରଳ ପଠାଯାଇଛି । କେତେକ ସ୍ଥାନରେ ଭୂସ୍ଖଳନ ହେବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ଏନଡ଼ିଆରଏଫ୍ ଟିମ୍ ସାଙ୍ଗରେ ଆବଶ୍ୟକୀୟ ବିଭିନ୍ନ ଯନ୍ତ୍ରପାତି ସାଙ୍ଗରେ ନେଇ ପ୍ରସ୍ତୁତ ରହିଛନ୍ତି ।


