Tuesday, November 17, 2026
Home ଆଞ୍ଚଳିକ ଦୁଇଦିନ ହେଲା ଗୋଟିଏ ଖୁଣ୍ଟକୁ ଉଠାଇପାରୁନି ବିଦ୍ୟୁତ୍ ବିଭାଗ ବେଲଗୁଣ୍ଠା ସହର ଅନ୍ଧାରରେ

ଦୁଇଦିନ ହେଲା ଗୋଟିଏ ଖୁଣ୍ଟକୁ ଉଠାଇପାରୁନି ବିଦ୍ୟୁତ୍ ବିଭାଗ ବେଲଗୁଣ୍ଠା ସହର ଅନ୍ଧାରରେ

95

ବେଲଗୁଣ୍ଠା,୧୫/୫(ଜିଲ୍ଲା ଖଵର) : ଗ୍ରୀଷ୍ମଋତୁରେ ବିଦ୍ୟୁତ୍ କାଟର ଯନ୍ତ୍ରଣା କୌଣସି ମୃତ୍ୟୁ ଯନ୍ତ୍ରଣା ଠାରୁ ମଧ୍ଯ କମ୍ ନୁହେଁ I ଏହିଭଳି ପରିସ୍ଥିତିରେ ଯଦି କୌଣସି ସହରାଞ୍ଚଳରେ ଦୁଇ ଦିନ ଧରି ବିଦ୍ୟୁତ୍ ସରବରାହ ବନ୍ଦ ରୁହେ ତେବେ ସହରବାସୀଙ୍କ ଅବସ୍ଥା ଯେ କେତେ ଶୋଚନୀୟ ହୋଇପଡେ ତାହା ଜଣେ ଭୁକ୍ତଭୋଗୀ ହିଁ କହିପାରିବ I ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ସହରରେ I ସୂଚନା ପ୍ରକାରେ ଗୁରୁବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ କାଳ ବୈଶାଖୀ ପ୍ରଭାବରେ କୂଶପଲ୍ଲୀଠାରେ ଗୋଟିଏ ବିଦ୍ୟୁତ୍ ଖୁଣ୍ଟ ଟଳି ପଡ଼ିବାରୁ ସହରର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା I କିନ୍ତୁ ଏହାର ଦାୟିତ୍ୱ ନେଇଥିବା ଏକ ଠିକା ସଂସ୍ଥା ଠିକ୍ ସମୟରେ ଖୁଣ୍ଟଟିକୁ ନ ସଜାଡ଼ିବାରୁ ଦୁଇଦିନ ଧରି ବେଲଗୁଣ୍ଠା ସହର ଅନ୍ଧକାର ଭିତରେ ରହିଛି I ବେଲଗୁଣ୍ଠା ସହରରେ ଏନଏସି କାର୍ଯ୍ୟାଳୟ,ବ୍ଲକ କାର୍ଯ୍ୟାଳୟ ,ତହସିଲ୍ କାର୍ଯ୍ୟାଳୟ, ଅଗ୍ନିଶମ କାର୍ଯ୍ୟାଳୟ, ପାଞ୍ଚଟି ବ୍ୟାଙ୍କ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ବହୁ ବ୍ୟବସାୟିକ ପ୍ରତିଷ୍ଠାନ ଥିବା ବେଳେ ଦୁଇ ଧରି ବିଦ୍ୟୁତ୍ ସଂଯୋଗ ଅଭାବରେ ଅନୁଷ୍ଠାନ ଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମ ଏକ ରକମ ବନ୍ଦ ହୋଇଯାଇଛି I ଏପରିକି ବିଦ୍ୟୁତ୍ ଅଭାବରୁ ସହରର ଜଳ ଯୋଗାଣ ବନ୍ଦ ହୋଇଯାଇଥିବା ବେଳେ ଲୋକେ ବଜାରରେ ପାଣି ବୋତଲ କିଣିବା ପାଇଁ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଥିଲା I ଏପଟେ ଗ୍ରୀଷ୍ମଋତୁ ହୋଇଥିବାରୁ ଘର ମାନଙ୍କରେ ପଙ୍ଖା, ଏସି, କୁଲର୍ ପ୍ରମୁଖ ବନ୍ଦ ହୋଇପଡିଥିବା ବେଳେ ଅସହ୍ୟ ଗରମ ଓ ଗୁଳୁଗୁଳି ମଧ୍ୟରେ ଛୋଟ ପିଲା ଏବଂ ବୁଢାବୁଢିଙ୍କ କଷ୍ଟ ବଢ଼ିଯାଇଛି I ଏପଟେ କରୋନା ମହାମାରୀ ସମୟରେ ସହରର ବହୁ ବ୍ୟକ୍ତି ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ମୋବାଇଲ୍ ରେ ଚାର୍ଜ ନଥିବାରୁ ସହରବାସୀ ସେମାନଙ୍କ ସମ୍ପର୍କୀୟଙ୍କ ସମ୍ପର୍କରେ ସୂଚନା ନପାଇ ଭୟ ଏବଂ ଆଶଙ୍କା ଭିତରେ ରହିଛନ୍ତି I ପୁଣି ଅନ୍ଧକାରର ସୁଯୋଗ ନେଇ କୌଣସି ଅସାମାଜିକ କାର୍ଯ୍ୟକ୍ରମକୁ ମଧ୍ୟ ଏଡାଇ ଦିଆଯାଇନପାରେ I ଏପରି ପରିସ୍ଥିତିରେ ବିଦ୍ୟୁତ୍ ବିଭାଗ ନାଭିରେ ତେଲ ପକାଇ ଶୋଇ ଯିବାକୁ ସହର ବାସୀ ତୀବ୍ର ସମାଲୋଚନା କରିବା ସହିତ ଖୁବ ଶୀଘ୍ର ବିଦ୍ୟୁତ୍ ବ୍ୟବସ୍ଥା ସଜାଡ଼ିବାକୁ ଦାବି କରିଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ