
ବାଲିଗୁଡ଼ା,୧୩/୫ {ସୁକାନ୍ତ କୁମାର ତ୍ରିପାଠୀ} : ସାରା ଦେଶରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିଛି ଏହି ପରିସ୍ଥିତିରେ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି । ସପ୍ତାହନ୍ତ ସଟ୍ ଡାଉନ୍, ରାତ୍ରୀ କାଳୀନ କର୍ଫ୍ୟୁ ସହ ବର୍ତ୍ତମାନ ସାରା ରାଜ୍ୟରେ ୧୪ ଦିନିଆ ଲକ୍ ଡାଉନ୍ ମଧ୍ୟ ଜାରି ରହିଛି । ଲକ୍ଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୬ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି । ଦିନ ୧୨ ପରଠାରୁ ସମସ୍ତ ଦୋକାନ ବଜାର ବନ୍ଦ ରହୁଥିବା ଯୋଗୁଁ ବାଲିଗୁଡ଼ା ଡାକ୍ତରଖାନାକୁ ଦୈନନ୍ଦିନ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ମୁଠେ ଖାଇବାପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜୁଜନତା ଦଳର ଯୁବକମାନେ ଭୋକିଲା ପେଟରେ ମୁଠେ ଦାନା ଦେବାକୁ ପ୍ରୟାସ ଜାରି ରଖିଛନ୍ତି । ନିଜ ଖର୍ଚ୍ଚରେ ଭାତ, ଡାଲମା, ଅଣ୍ଡା, ଆଚାର ଆଦି ଖାଦ୍ୟ ପ୍ରସ୍ତୁତ କରି ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇଥାନ୍ତି | ପ୍ରତ୍ୟେକ ଦିନ ସନ୍ଧ୍ୟା ପରେ ପରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ନିକଟରେ ଓ ବସ ଷ୍ଟାଣ୍ଡ ଠାରେ ରନ୍ଧା ଖାଦ୍ୟ ନେଇ ପହଁଚି ଯାଉଛନ୍ତି ଦଳର ସଦସ୍ୟମାନେ । ଏହି ଦଳର ସଦସ୍ୟ ମାନେ ମିଳିତ ହୋଇ ଖାଦ୍ୟ ପରସିଥାନ୍ତି |ବାଲିଗୁଡ଼ା ବ୍ଲକ୍ ବିଜେଡି ସଭାପତି ଟୁନା ଦାସଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମର ଏହି କାର୍ଯ୍ୟକ୍ରମ ଜାରିରହିଛି ଏବଂ ଯେତେଦିନ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିଥିବ ସେତେଦିନ ପର୍ଯ୍ୟନ୍ତ ଆମେ ଏଭଳି ଖାଦ୍ୟ ଯୋଗାଇବାକୁ ଚେଷ୍ଟା ଜାରି ରଖିବୁ ବୋଲି କହିଛନ୍ତି ବିଜୁ ଯୁବ ଜନତା ଦଳର ସଦସ୍ୟମାନେ ।



