
ଭୁବନେଶ୍ୱର,୧୨/୦୫/୨୧ (ଜିଲ୍ଲା ଖବର) : ରାଜ୍ୟରେ ପୁଣି ୧୦ ହଜାର ପାର କଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୧୦ ହଜାର ୯୮୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ପୁଣି ସର୍ବାଧିକ ୧୫୩୯ ଜଣ ଆକ୍ରାନ୍ତ ହୋଇଛନ୍ତି । ସୁନ୍ଦରଗଡ଼ରୁ ୯୬୪, କଟକରୁ ୮୮୫, ଅନୁଗୁଳରୁ ୫୩୯ ଓ ସମ୍ବଲପୁରରୁ ୪୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏହି ୫ ଜିଲ୍ଲାରୁ ୪ ହଜାର ୩୮୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ପଜିଟିଭ୍ କେସରୁ ୪୦ ପ୍ରତିଶତ ଆକ୍ରାନ୍ତ ଏହି ୫ ଜିଲ୍ଲାରୁ ଆସିଛନ୍ତି । ସେହିପରି ଗତ ୨୪ ଘଣ୍ଟା ଭିତରେ ମହାମାରୀ ନେଇଛି ୧୭ ଜଣଙ୍କ ଜୀବନ । ଗତକାଲି ଗୋଟିଏ ଦିନରେ ୪୯୧୯୧ ନମୂନା ପରୀକ୍ଷଣ ହୋଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ ସଂଖ୍ୟା ୯୮ ହଜାର ୨୩୦ । ଏପ୍ରିଲ ମାସରେ ରାଜ୍ୟରେ ମୋଟ 1 ଲକ୍ଷ 13 ହଜାର 591 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 118 ଜଣଙ୍କ ମୁଣ୍ଡ ନେଇଥିଲା ମହାମାରୀ । ମାତ୍ର ମେ ମାସରେ 11 ଦିନରେ ମଧ୍ୟରେ ରାଜ୍ୟରେ 1 ଲକ୍ଷ 11 ହଜାର 41 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 178 ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।


