
ଭୁବନେଶ୍ୱର, ୧୨/୦୫/୨୧ (ଜିଲ୍ଲା ଖବର) : ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୩୨ କୁ ବୃଦ୍ଧି ପାଇଛି।
୨୪ ଘଣ୍ଟା ମଧ୍ୟରେ ୧୭ ଜଣଙ୍କ ମୁଣ୍ଡ ନେଇଛି ଘାତକ କରୋନା। ମୃତକଙ୍କ ମଧ୍ୟରୁ ଅନୁଗୁଳରୁ ୩, ବାଲେଶ୍ଵରରୁ ୧, ବୌଦ୍ଧରୁ ୧, ଭୁବନେଶ୍ଵରରୁ ୨, ଢେଙ୍କାନାଳରୁ ୧, ଗଞ୍ଜାମରୁ ୧, କଳାହାଣ୍ଡିରୁ ୨, ଖୋର୍ଦ୍ଧାରୁ ୧, ନୂଆପଡାରୁ ୨, ପୁରୀରୁ ୧, ସୁନ୍ଦରଗଡରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ସେହିପରି ରାଜ୍ୟରେ ପୁଣି ୧୦ ହଜାର ପାର କଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୧୦ ହଜାର ୯୮୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ପୁଣି ସର୍ବାଧିକ ୧୫୩୯ ଜଣ ଆକ୍ରାନ୍ତ ହୋଇଛନ୍ତି । ସୁନ୍ଦରଗଡ଼ରୁ ୯୬୪, କଟକରୁ ୮୮୫, ଅନୁଗୁଳରୁ ୫୩୯ ଓ ସମ୍ବଲପୁରରୁ ୪୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏହି ୫ ଜିଲ୍ଲାରୁ ୪ ହଜାର ୩୮୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ପଜିଟିଭ୍ କେସରୁ ୪୦ ପ୍ରତିଶତ ଆକ୍ରାନ୍ତ ଏହି ୫ ଜିଲ୍ଲାରୁ ଆସିଛନ୍ତି ।


