
ନୂଆଦିଲ୍ଲୀ,୧୧/୦୫/୨୧ (ଜିଲ୍ଲା ଖବର) : କମୁଛି ସଂକ୍ରମଣ। ଦେଶରେ କରୋନା ଭାଇରସକୁ ନେଇ ସାମାନ୍ୟ ଆଶ୍ୱସ୍ତି କଲା ଭଳି ଖବର ଆସିଛି । ଗତ ୨୪ ଘଣ୍ଟା ଭିତରେ ଦେଶରେ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ହୋଇଛି । ଯେଉଁଭଳି ଭାବରେ ସଂକ୍ରମଣ ବଢ଼ି ବଢ଼ି ଚାଲିଛି, ବର୍ତ୍ତମାନ କିଛି ମାତ୍ରାରେ କମିଥିବାରୁ ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୨୯,୯୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟା ଭିତରେ ୩୮୭୬ ଜଣ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହାସହ ଦିନକ ଭିତରେ ୩,୫୬,୦୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପକ୍ଷରେ କରୋନା ଭାଇରସ୍ ବିରୋଧରେ ଚାଲିଥିବା ଲଢ଼େଇରେ ଟିକାକରଣ ମଧ୍ୟ ଜାରି ରହିଛି । ବର୍ତ୍ତମାନ ଦେଶରେ ଦ୍ୱିତୀୟ ଡୋଜ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । କାରଣ ଯେଉଁମାନେ ପ୍ରଥମ ଡୋଜ୍ ନେଇସାରିଛନ୍ତି, ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଦେବା ନିହାତି ଜରୁରୀ ।


