Wednesday, July 22, 2026
Home ଖେଳ ସିବିଏସ୍‌ଇ ଦ୍ବାରା ଆୟୋଜିତ ଜୋନାଲ୍‌ ଲେବେଲ୍‌ ସ୍କେଟିଂ ପ୍ରତିଯୋଗିତାରେ ବ୍ରହ୍ମପୁର ସ୍କେଟର୍‌ ମାନଙ୍କ ସଫଳତା ।

ସିବିଏସ୍‌ଇ ଦ୍ବାରା ଆୟୋଜିତ ଜୋନାଲ୍‌ ଲେବେଲ୍‌ ସ୍କେଟିଂ ପ୍ରତିଯୋଗିତାରେ ବ୍ରହ୍ମପୁର ସ୍କେଟର୍‌ ମାନଙ୍କ ସଫଳତା ।

37

ବ୍ରହ୍ମପୁର,(ଜିଲ୍ଲା ଖବର) ‌‌‌: ୧୨ ତାରିଖ ଠାରୁ ୧୪ ତାରିଖ ପର୍ୟ୍ୟନ୍ତ ଦୀର୍ଘ ୩ ଦିନ ଧରି ଛତିଶଗଡ଼ ରାଜ୍ୟର ରାୟପୁର ଠାରେ ସିବିଏସ୍‌ଇ ଦ୍ବାରା ଅନୁଷ୍ଠିତ ହୋଇଥିବା ଜୋନାଲ୍‌ ଲେବେଲ୍‌ ସ୍କେଟିଂ ପ୍ରତିଯୋଗିତାରେ ବ୍ରହ୍ମପୁରର ସ୍କେଟର ମାନେ ସଫଳତା ପାଇଛନ୍ତି । ଏହି ପ୍ରତିଯୋଗିତାରେ ତିନୋଟି ସ୍ବର୍ଣ୍ଣ ପଦକ ଓ ତିନୋଟି କାଂସ୍ୟ ପଦକ ହାସଲ କରିଛନ୍ତି । ଏହି ସ୍କେଟର ମାନେ ବ୍ରହ୍ମପର ସହରର ବିଭିନ୍ନ ବିଦ୍ୟାଳୟରୁ ପ୍ରତିନିଧିତ୍ବ କରିଥିବା ବେଳେ କମାପଲ୍ଲୀ ସ୍ଥିତ ସିଲ୍‌କି ରୋଲର୍‌ ସ୍କେଟିଂ ଏକାଡ଼େମୀରୁ ତାଲିମ ନେଇଥିଲେ । ପ୍ରତିଯୋଗିତାରେ ୮ ବର୍ଷ ବର୍ଗ ବାଳିକା ବିଭାଗରେ ଡ଼ିଏଭି ପବ୍ଳିକ୍‌ ସ୍କୁଲର ଦ୍ବିତୀୟ ଶ୍ରେଣୀର ଛାତ୍ରୀ ଅନ୍ବେଷା ବିଷୋୟୀ ୩୦୦ ମିଟର ଟାଇମ୍‌ ଟ୍ରାଇଲ୍‌ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ୧୦୦୦ ମିଟର ସ୍ପିଡ଼୍‌ ରେସ୍‌ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି । ସେହିଭଳି ୧୦ ବର୍ଷ ବାଳକ ବିଭାଗରେ ଡ଼ିଏଭି ପବ୍ଳିକ ସ୍କୁଲର ଚତୁର୍ଥ ଶ୍ରେଣୀର ଛାତ୍ର ଆଶୁତୋଷ ପାଢ଼ୀ ୧୦୦୦ ମିଟର ରେସ୍‌ରେ ସ୍ବର୍ଣ୍ଣ ପଦକ ଓ ୩୦୦ ମିଟର ଟାଇମ୍‌ ଟ୍ରାଇଲ୍‌ରେ କାଂସ୍ୟ ପଦକ ହାସଲ କରିଥିବା ବେଳେ କେ.ସି.ପବ୍ଳିକ୍‌ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ର ପୁନିତ୍‌ ଗୌଡ଼ ୧୦୦୦ ମିଟର ରେସ୍‌ରେ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ହାସଲ କରିଛନ୍ତି । ସେହିପରି ସିନିୟର ସେକେଣ୍ଡାରୀ ସଂକଳ୍ପ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଅନୁଭବ ପଣ୍ଡା(କାହ୍ନା) ୧୦୦୦ ମିଟର ରେସ୍‌ରେ କାଂସ୍ୟ ପଦକ ହାସଲ କରିଛନ୍ତି । ସିବିଏସ୍‌ଇ ଦ୍ବାରା ଆୟୋଜିତ ଏହି ପ୍ରତିଯୋଗିତାରେ ଫାର୍‌ ଇଷ୍ଟ ଜୋନ୍‌ ପାଇଁ ଦେଶରୁ ୮ଟି ରାଜ୍ୟର ବିଭିନ୍ନ ବିଦ୍ୟାଳୟର ସ୍କେଟର ମାନେ ଅଂଶଗ୍ରହଣ କରିଥିଲେ । ବ୍ରହ୍ମପୁରର ସ୍କେଟର ମାନେ ନିଜେ ନିଜେ ଜୋର୍‌ଦାର୍‌ ଅଭ୍ୟାସ କରିଥିବାରୁ ଏହି ପ୍ରତିଯୋଗିତାରେ ତିନୋଟି ଗୋଲଡ଼ ମେଡ଼ାଲ ଓ ତିନୋଟି ବ୍ରୋଞ୍ଜ ମେଡ଼ାଲ୍‌ ହାସଲ କରିବାରେ ସଫଳ ହୋଇଛନ୍ତି । ଏଥିପାଇଁ ଅଭିଭାବକ ଏକାଡ଼େମୀର ପରିଚାଳକ ଓ କୋଚ୍‌ଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏହାସହ ଏହି ଖେଳାଳୀ ମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ଅନ୍ବେଷା ଓ ଆଶୁତୋଷ ଏହି ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରିଥିବାରୁ ଉଭୟଙ୍କୁ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛନ୍ତି ।