
ଭଦ୍ରକ,୧୦/୦୫/୨୧ (ଜିଲ୍ଲା ଖବର) : ଆସନ୍ତା ୧୫ରୁ ଅର୍ଥାତ ଅକ୍ଷୟତୃତୀୟାଠାରୁ ଆରମ୍ଭ ହେବ ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା। ଏହା ୨୧ଦିନ ଧରି ଚାଲିବ । ହେଲେ ମହାମାରୀ କରୋନାର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ବିନା ଭକ୍ତରେ କୋଭିଡ କଟକଣା ମଧ୍ୟରେ ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା ନୀତି ସମ୍ପନ୍ନ କରିବା ପାଇଁ ଉଭୟ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଶିବଗଙ୍ଗା ପୁଷ୍କରିଣୀରେ ଚାପନୀତି କରାନଯାଇ ମନ୍ଦିର ଭିତରବେଢାରେ ସୀମିତ ସେବାୟତଙ୍କ ମଧ୍ୟରେ ସମ୍ପନ୍ନ କରାଯିବା ପାଇଁ ଭଦ୍ରକ ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି ନଟକା ଜାରୀ କରିଛନ୍ତି। ଚନ୍ଦନଯାତ୍ରା ପ୍ରାରମ୍ଭରୁ ପ୍ରତିଦିନ ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ନୀତି ସହ ମଙ୍ଗଳ ଆଳତୀ, ଜଳାଭିଷେକ, ଘର୍ଷଣଲାଗି, ପହଡଖିଆନୀତି, ବଡ ଅନ୍ନନୀତିଭୋଗ ଲାଗି ହେବା ପରେ ମଣିବାବାଙ୍କ ଚଳନ୍ତୀପ୍ରତିମା ଚନ୍ଦ୍ରଶେଖରଙ୍କୁ ଭିତର ବେଢାର ଯଜ୍ଞମଣ୍ଡପକୁ ବିଜେ କରାଯିବ । ପରେ ରୀତିନୀତି ଅନୁଯାୟୀ ଚାପନୀତି କରାଯିବ ବୋଲି ସ୍ଥିର ହୋଇଛି।



