
ବେଲଗୁଣ୍ଠା,୧୦/୫(ଜିଲ୍ଲା ଖଵର) : ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ରବିବାର ସ୍ଥାନୀୟ କୋଭିଡ଼ କେୟାର ସେଣ୍ଟର ପରିଦର୍ଶନ କରିଛନ୍ତି। ଏଠାରେ ଥିବା ସୁବିଧା ଅସୁବିଧା ଦେଖିବା ପାଇଁ ମଧ୍ୟାହ୍ନରେ ଉପଜିଲ୍ଲାପାଳ ପିପିଇ କିଟ ପରିଧାନ କରି ଡିସିଏଚସି ରେ ଥିବା ରୋଗୀ ମାନଙ୍କ ସହ ଆଲୋଚନା କରିଥିଲେ। ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ତଥା ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର କରୋନାରେ ଆକ୍ରାନ୍ତ ହୋଇ ୩ଦିନ ହେଲା ଭଞ୍ଜନଗର ରେ ଚିକିତ୍ସିତ ହେଉଥିବାରୁ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ୍ ତାଙ୍କ ପାଖକୁ ଏକ ଡାକ୍ତରୀ ଟିମ ସହଯାଇ ସୁବିଧା ଅସୁବିଧା ବୁଝିବା ସହ ପ୍ରଶାସନ ତୁମ ପାଖରେ ଅଛି ବୋଲି ପ୍ରକାଶ କରିଥିଲେ ।ଅନ୍ୟ ରୋଗୀଙ୍କ ସ୍ୱାସ୍ଥ୍ୟ ସମସ୍ୟା, ଖାଦ୍ୟ,ପାନୀୟ, ଔଷଧ, ଚିକିତ୍ସା ଆଦି ପଚାରି ବୁଝିଥିଲେ।ରୋଗୀ ମାନେ ଚିକିତ୍ସା, ସ୍ୱଚ୍ଛତା, ଖାଦ୍ୟ ଆଦି ସେବାରେ ସନ୍ତୋଷ ଥିବା ଉପଜିଲ୍ଲାପାଳଙ୍କୁ କହିଥିଲେ। ଉପଜିଲ୍ଲାପାଳ ରୋଗୀ ମାନଙ୍କ ମନୋବଳ ଦୃଢ କରିବା ଆତ୍ମବିଶ୍ବାସ ନ ହରାଇବାକୁ ପରାମର୍ଶ ଦେଇ ସକରାତ୍ମକ ଚିନ୍ତା କରିବା ସହ ଯଦି କିଛି ସମସ୍ୟା ଆସିଲେ ତୁରନ୍ତ ଡାକ୍ତରଙ୍କୁ ଜଣେଇବା ନିମନ୍ତେ ପରାମର୍ଶ ଦେଇଥିଲେ।ଏଠାରେ ନିୟୋଜିତ ଥିବା ଡାକ୍ତର ମାନଙ୍କୁ ସେମାନଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ପ୍ରଶଂସା କରିଥିଲେ। ଏବେ ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି ସେଥିପାଇଁ ସମସ୍ତେ ସଚେତନ ହେବାକୁ ପଡିବ ଏବଂ ଲକଡାଉନ ଓ କୋଭିଡ଼ ନିୟମ କୁ ଯଦି ଆମେ ଠିକ ଭାବେ ମାନିବା ତେବେ ଦ୍ରୁତ କୋଭିଡ ସଂକ୍ରମଣ ଚେନକୁ ଭାଙ୍ଗି ପାରିବା ବୋଲି ଉପଜିଲ୍ଲାପାଳ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଥିଲେ।
ରିପୋର୍ଟ-ଶିବରାମ ଚୌଧୁରୀ


