
ଅନୁଗୁଳ, ୦୮/୦୫/୨୧ (ଜିଲ୍ଲା ଖବର) : କରୋନା ମଣିଷ ମନରୁ ମାନବିକତା ମାରିବାକୁ ବସିଛି। ଏହି ବିଚିତ୍ର ରୋଗ ପାଇଁ ବାପ ଶବ ପୁଅ ଛୁଇଁନି, ସ୍ବାମୀ ଶବ ସ୍ତ୍ରୀ ଛୁଉନି। ବାସିମଢା ହେଉଛି ମୃତଦେହ। ଏମିତି ଏକ ଅଭାବନୀୟ ଘଟଣା କାନରେ ପଡିବା ପରେ ନିଜେ ପିପିଇ କିଟ୍ ପିନ୍ଧି ଶବ ବୋହି ମଶାଣୀକୁ ନେଇଛନ୍ତି ବିଡିଓ। ଦୀର୍ଘ ୧୬ ଘଣ୍ଟା ପରେ ସଂସ୍କାର ହୋଇଛି ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାହାଳସାହି ଗ୍ରାମବାସୀ । ଏହି ଗ୍ରାମରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗ୍ରାମର ଗୋବିନ୍ଦ ମାଝୀଙ୍କ ୪ରୁ୫ଦିନ ହେବ ଜ୍ବର ହେଉଥିବା ବେଳେ ଶୁକ୍ରବାର ସଂନ୍ଧ୍ୟାରେ ମୃତ୍ୟୁ ହେଲା । ଗ୍ରାମବାସୀ ସନ୍ଦେହ କଲେ କରୋନାରେ ତାଙ୍କ ମୃତ୍ୟୁ ହୋଇଛି ବୋଲି। ଏହି ସନ୍ଦେହରେ ନିଜ ରକ୍ତ ସମ୍ପର୍କ ପରିବାର ଲୋକେ ମଧ୍ୟ ମୃତଦେହ ଛୁଇଁ ନ ଥିଲେ। ଖବର ପାଇ ପ୍ରଶାସନ ପହଞ୍ଚି ଥିଲା। କୌଣସି ବ୍ୟକ୍ତି ଶବ ବୋହିବାକୁ ଆଗଭର ହୋଇ ନ ଥିବାରୁ ଛେଣ୍ଡିପଦା ବିଡ଼ିଓ ସଞ୍ଜୟ ଆଚାର୍ଯ୍ୟ, ବାହାଳସାହି ସରପଞ୍ଚ ନାରାଣ ବେହେରା, ପଞ୍ଚାୟତ ଅଧିକାରୀ ଓ ମୃତକଙ୍କ ପୁଅ ପିପିକିଟ୍ ପିନ୍ଧି ଦୀର୍ଘ ୧୬ ଘଣ୍ଟା ପରେ ଘରୁ ଶବ ଉଠାଇ ସଂସ୍କାର କରିଥିଲେ ।



