
ନୟାଗଡ,୦୮/୦୫/୨୧ (ଜିଲ୍ଲା ଖବର) : ଡାକ୍ତରୀ ଦଳ ବସ ଦୁର୍ଘଟଣାଗ୍ରସ୍ତ। ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ଅଧିନସ୍ଥ ଦୁର୍ଗାପ୍ରସାଦ ଠାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ବସ୍ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ବସ୍ ଡ୍ରାଇଭର ଆହତ ହୋଇଥିବା ବେଳେ ଡାକ୍ତରୀ ଛାତ୍ରଛାତ୍ରୀମାନେ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ବାଣିଗୋଛା ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଚିକିତ୍ସା ସରିବା ପରେ ସେମାନଙ୍କୁ ଏକ ଗେଷ୍ଟ ହାଉସରେ ରଖାଯାଇଥିବା ଜଣାପଡିଛି। କଟକ ଏସସିବିରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଏହି ବସ୍ଟି ବଲାଙ୍ଗୀର ଅଭିମୁଖେ ଯାଉଥିଲା। ବସରେ ପ୍ରାୟ ୨୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଥିବା ବେଳେ ଏମାନେ କୋଭିଡ କାର୍ଯ୍ୟପାଇଁ ଯାଉଥିବା ସୂଚନା ମିଳିଛି। ତେବେ ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଥିବା ଜଣାପଡ଼ିଛି।



