
ବେଲଗୁଣ୍ଠା,୬/୫(ଜିଲ୍ଲା ଖଵର) : କରୋନାର ସଂକ୍ରମଣରେ ଜନଜୀବନ ବେହାଲ୍ ।ସରକାର ଜାରି କରିଛନ୍ତି ଲକ୍ ଡାଉନ୍ ।କିନ୍ତୁ ସାଧାରଣ ଲୋକଙ୍କ ସୁବିଧା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିବା ପାଇଁ ସମୟ ସୀମା ଧାର୍ଯ୍ୟ କରିବା ସହ ଓ ବ୍ୟାଙ୍କ,ଏଟିଏମ୍ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ରହିଛି ।କିନ୍ତୁ ବେଲଗୁଣ୍ଠା ଓଭର୍ ସିଜ୍ ବ୍ୟାଙ୍କ ଶାଖାରେ ଗତ ଦଶଦିନ ରୁ ଅଧିକ ହେବ ତାଲା ଝୁଲୁଥିବାରୁ ବହୁ ଗ୍ରାହକ ଅସୁବିଧାର ସମ୍ମୁଖୀନ ହେଉଥିବା ଲକ୍ଷ୍ୟ କରାଯାଇଛି ।ଲକ୍ ଡାଉନ୍ ରେ ଲୋକଙ୍କ ଜୀବନ ଜୀବିକା ବିପଦରେ ଥିବା ବେଳେ ବ୍ୟାଙ୍କ୍ ବାଲାଙ୍କ ଦାୟିତ୍ୱହୀନତା ଦେଖିବାକୁ ମିଳିଛି ।ଲୋକଙ୍କ ସେବା ପାଇଁ ଏହି ବ୍ୟାଙ୍କ ଯେ କେତେ ତତ୍ପରେ ତାହା ଜଣାପଡିଛି ।ନିଜର ଜୀବନ ଦାଉରେ ଲଗାଇ ଜୀବିକା ହରାଇ ଲକ୍ ଡାଉନ୍ ରେ ସାଧାରଣ ଲୋକ ହଇରାଣ ହେଉଛନ୍ତି ।ଏହି ପରିସ୍ଥିତିରେ ନିଜ ସଞ୍ଚିତ ଅର୍ଥକୁ ବ୍ୟବହାର କରି ଚଳିବା ଛଡା ଲୋକଙ୍କ ଅନ୍ୟ ବାଟ ନାହିଁ ।କିନ୍ତୁ ବ୍ୟାଙ୍କ ବନ୍ଦ ଥିବା ଯୋଗୁଁ ନଗଦ ଟଙ୍କା ଉଠାଇ ନ ପାରି ବହୁ ଜନସାଧାରଣ ହଇରାଣ ହେଉଛନ୍ତି ।ବୃଦ୍ଧବୃଦ୍ଧାଙ୍କ ନିକଟରେ ଏଟିଏମ୍ କାର୍ଡ ନ ଥିବାରୁ ସେମାନେ ଭତ୍ତା ଟଙ୍କା ଉଠାଇବା ପାଇଁ ସକାଳୁ ବ୍ୟାଙ୍କ ଆଗକୁ ଯାଇ ବ୍ୟାଙ୍କରେ ତାଲା ଦେଖି ଫେରିଆସୁଥିବା ଲକ୍ଷ୍ୟ କରାଯାଇଛି ।ବହୁ ବ୍ୟବସାୟୀଙ୍କ ଚାଲୁ ଖାତା ଥିବାରୁ ସେମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ।ଏ ନେଇ ଶାଖା ପରିଚାଳକଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲା କିନ୍ତୁ ଫୋନ୍ ବନ୍ଦ ଥିବା ଯୋଗୁଁ ଯୋଗାଯୋଗ ହୋଇପାରିନାହିଁ ।ବ୍ୟାଙ୍କର କିଛି କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଭଲ ନ ଥିବା ସାଧାରଣରେ ଆଲୋଚନା ହେଉଛି ।
ରିପୋର୍ଟ-ଶିବରାମ ଚୌଧୁରୀ


