
ବ୍ରହ୍ମପୁର, ୦୬/୦୫/୨୧ (ଜିଲ୍ଲା ଖବର) : କୋଭିଡ କାଳର ଦାରୁଣ ଚିତ୍ର । ୩ କିଲୋମିଟର ଖଟିଆରେ ବୁହାହେଲା ମୃତ ଦେହ । ଘଟଣା ଘଟିଛି ଖଜୁରୀପଡା ଅଞ୍ଚଳରେ । ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳାଙ୍କ ମେଡ଼ିକାଲର ପରିସରରେ ମୃତ୍ୟୁ ଘଟିଛି । ଏହାସହ ମହାପ୍ରୟାଣ ନମିଳିବାରୁ ମୃତଦେହକୁ ଖଟିଆରେ ତିନି କିଲୋମିଟର ବୁହାହେବା ଘଟଣା ସାମ୍ନାକୁ ଆସିଛି । ସୂଚନାମୁତାବକ, ଖଜୁରୀପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ରଞ୍ଜୁଗୁଡା ଗ୍ରାମର ଧନମତି ମଳିକଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଯୋଗେ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତି କରାଯାଇଥିଲା। ହେଲେ ଡାକ୍ତରଖାନା ପରିସରରେ ହିଁ ତାଙ୍କର ମୃତ୍ୟୁ ଘଟିଲା । ଯେହେତୁ ମେଡ଼ିକାଲରେ ମହାପ୍ରୟାଣନ ଗାଡିନଥିଲା। ଆର୍ଥିକ ସାମର୍ଥ୍ୟ ନଥିବାରୁ ପରିବାର ଲୋକ ମୃତଦେହକୁ ଭଡାଗାଡି କରିପାରିନଥିଲେ। ସବୁ ପ୍ରକାର ଚେଷ୍ଟା ଫସରଫାଟିବା ପରେ ବାଧ୍ୟ ହୋଇ ପରିବାର ଲୋକ ଗାଁ କୁ ଯାଇ ଏକ ଖଟିଆ ଆଣିଥିଲେ। ଆଉ ସେଥିରେ ମୃତଦେହକୁ ରଖି ୩ କିଲୋମିଟର ବୋହି ବୋହି ନିଜ ଗାଁକୁ ନେଇଥିଲେ। ଖଟିଆରେ ମୃତଦେହ ରଖି ବୋହି ବୋହି ଯାଉଥିବା ଦୃଶ୍ୟ ସମସ୍ତେ ଦେଖିଥିଲେ କିନ୍ତୁ କେହି ସାହାଯ୍ୟ କରିନଥିଲେ। କରୋନା ପାଇଁ ଲୋକଙ୍କ ମାନବିକତା ହଜିବାରେ ଲାଗିଛି।


