
୦୬/୦୫/୨୧ (ଜିଲ୍ଲା ଖବର) : କୋରୋନାରେ ରାଷ୍ଟ୍ରୀୟ ଲୋକଦଳ ସଭାପତି ଚୌଧୁରୀ ଅଜିତ ସିଂହଙ୍କ ପରଲୋକ । ଆଜି ତାଙ୍କର ମୃତ୍ୟୁ ହୋଇଥିବା ନେଇ ଟ୍ୱିଟ କରି ତାଙ୍କ ପୁଅ ସୂଚନା ଦେଇଛନ୍ତି । ତେବେ ଆରଏଲଡି ମୁଖ୍ୟଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜିତ ସିଂହଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖ ଦାୟକ । ସେ ସବୁବେଳେ କୃଷକଙ୍କ ସ୍ୱାର୍ଥ ପ୍ରତି ଉତ୍ସଗ୍ରୀକୃତ ଥିଲେ । କେନ୍ଦ୍ରରେ ଅନେକ ବିଭାଗର ଦାୟିତ୍ୱକୁ ମଧ୍ୟ ସେ ଖୁବ ଦକ୍ଷତାର ସହ ନିର୍ବାହ କରିଛନ୍ତି । ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମୃତ୍ୟୁ ବେଳକୁ ଅଜିତ ସିଂହଙ୍କୁ 82 ବର୍ଷ ହୋଇଥିଲା । କୋରୋନା ପଜିଟିଭ ଚିହ୍ନଟ ହେବାପରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ପୁଅ ଅଜିତ ସିଂହ । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଆରଏଲଡିର ପ୍ରତିଷ୍ଠାତା ଥିଲେ ଅଜିତ ସିଂହ । ଉତ୍ତରପ୍ରଦେଶ ବାଘପତରୁ 7 ଥର ସାଂସଦ ମଧ୍ୟ ଥିଲେ ସେ । କେନ୍ଦ୍ରରେ କୃଷି, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ବି ଥିଲେ ଅଜିତ ସିଂହ । ୟୁପିଏ, ଏନଡିଏ ମେଣ୍ଟରେ ତାଙ୍କ ଦଳ ବିଭିନ୍ନ ସମୟରେ ରହିଛି ।


