
୦୫/୦୫/୨୧ (ଜିଲ୍ଲା ଖବର) : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମମତା ବାନାର୍ଜୀ। କୋଲକାତା ରାଜଭବନରେ ତୃତୀୟ ଥର ପାଇଁ ଶପଥ ନେଇଛନ୍ତି ମମତା। କରୋନା କଟକଣା ଭିତରେ ରାଜଭବନରେ ସ୍ୱଳ୍ପ ଅତିଥିଙ୍କ ଉପସ୍ଥିତିରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି ।
ରାଜ୍ୟପାଳ ଜଗଦୀପ ଧନକର ତାଙ୍କୁ ଶପଥପାଠ କରାଇଥିଲେ । ଅନ୍ୟ କୈଣସି ସଦସ୍ୟ ମନ୍ତ୍ରୀ ଭାବେ ଶପଥ ନେଇନାହାନ୍ତି। ଶପଥ ନେବା ପରେ ମମତା କହିଛନ୍ତି, ସେ ରାଜ୍ୟର ସମସ୍ତ ଲୋକ ଶାନ୍ତି ଶୃଙ୍ଖଳା ବଜାୟ ରଖନ୍ତୁ।
ସୁୂଚନାନୁସାରେ, ମମତା ବାନାଜୀଙ୍କ ତୃଣମୂଳ କଂଗ୍ରେସ ଲଗାତାର ତୃତୀୟ ଥର ପାଇଁ ବିପୁଳ ବିଜୟ ହାସଲ କରିଛି। ୨୯୨ଟି ବିଧାନସଭା ଆସନରୁ ଦଳ ୨୧୩ଟିରେ ବିଜୟ ଲାଭ କରିଛି। ଅନ୍ୟପକ୍ଷରେ ଏଥର ଜୋରଦାର ପ୍ରଚାର କରି କ୍ଷମତା ଦଖଲ କରିବାକୁ ପ୍ରୟାସ କରିଥିବା ବିଜେପିକୁ ୭୭ଟି ଆସନ ମିଳିଛି।
ତେବେ ଏଥର ମମତା ବାନାର୍ଜୀ ନିର୍ବାଚନ ହାରିଯାଇଛନ୍ତି। ସେ ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ। ଏକଦା ତାଙ୍କର ଘନିଷ୍ଠ ସହଯୋଗୀ ଥିବା ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ ଓ ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ।





