
ସୁନ୍ଦରଗଡ଼,୩୦/୪(ଜିଲ୍ଲା ଖଵର) : ଆଜି ଏକ ଭାବାବେଗ ପରିବେଶରେ ଅନୁଷ୍ଠିତ ହୋଇଯାଇଛି ଭବାନୀଶଙ୍କର ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ଗୌରାଙ୍ଗ ଚନ୍ଦ୍ର ପାଣ୍ଡେଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା। ଶ୍ରୀ ପାଣ୍ଡେଙ୍କ ଅବସର ଗ୍ରହଣ ପରିପ୍ରେକ୍ଷୀରେ ଆୟୋଜିତ ଏହି ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଶ୍ରୀବତ୍ସ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଭାରପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀମତୀ ସଂଯୁକ୍ତା ବହିଦାର।
ପ୍ରକାଶଯୋଗ୍ୟ ଯେ ଶ୍ରୀ ଗୌରାଙ୍ଗ ଚନ୍ଦ୍ର ପାଣ୍ଡେ ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡା ବ୍ଲକ୍ ଅନ୍ତର୍ଗତ ଛଟେନପାଲି ଗ୍ରାମରେ ଅପ୍ରେଲ ୯ ତାରିଖ ୧୯୬୧ ମସିହାରେ ପିତା କୀର୍ତ୍ତିରାମ୍ ପାଣ୍ଡେ ଓ ମାତା ସୁଶୀଳା ପାଣ୍ଡେଙ୍କ କନିଷ୍ଠ ପୁତ୍ର ଭାବରେ ଜନ୍ମ ଗ୍ରହଣ କରିଥିଲେ। କାଳକ୍ରମେ ୧୯୮୨ ମସିହାରେ କଳା ପାଠ୍ୟକ୍ରମରେ ସ୍ନାତକ ଡିଗ୍ରୀ ହାସଲ କରି ଯୋଗୀମାଲ ଗ୍ରାମର ବି.ଏସ.ଡି.ଜି.ଏମ ବିଦ୍ୟାଳୟରେ ଆରମ୍ଭ କରିଥିଲେ ଶିକ୍ଷକତା ଜଣେ ସଂସ୍କୃତ ଶିକ୍ଷକ ଭାବରେ। ସେହି ସମୟରେ ଜଣେ ଛାତ୍ରଦରଦୀ ଶିକ୍ଷକ ଭାବରେ ଅନେକ ସୁନାମ ଅର୍ଜନ କରିଥିଲେ। ଶିକ୍ଷାର୍ଥୀମାନଙ୍କ ପାଠପଢ଼ା ସହିତ କିପରି ସେମାନଙ୍କର ଉତ୍ତୋରତ୍ତର ଉନ୍ନତି ହେବ ସେ ଦିଗରେ ସେ ଅନେକ ଧ୍ୟାନ ଦେଉଥିଲେ। ତାପରେ ବି.ଇଡି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆରମ୍ଭ କରିଥିଲେ ଶିକ୍ଷକତା ସୁନ୍ଦରଗଡ଼ ସହରରେ ଅବସ୍ଥିତ ସୁନାମଧନ୍ୟ ରାଣୀ ଜାନକୀ ଉଚ୍ଚ ବିଦ୍ୟାଳୟରେ ୦୬/୦୭/୨୦୦୬ ତାରିଖରେ। ତାଙ୍କର ଅମାୟିକ ଓ ମିଷ୍ଟଭାଷୀ ସ୍ଵଭାବ ପାଇଁ ବେଶ୍ ଆଦୃତ ହୋଇଥିଲେ ନିଜର ସହକର୍ମୀ,ଅଧିକାରୀ ଏବଂ ଛାତ୍ରୀ ମାନଙ୍କ ମଧ୍ୟରେ। ଛାତ୍ରୀନିବାସର ଦାୟିତ୍ବ ବହନ କରି ନିଜର ଅସୀମ କାର୍ଯ୍ୟଦକ୍ଷତା ଓ ସୁପରିଚାଳନା ଦ୍ବାରା ବେଶ୍ ପ୍ରଶଂସାଭାଜନ ହୋଇଥିଲେ ଶ୍ରୀ ପାଣ୍ଡେ । ୦୭/୦୭/୨୦୧୩ ରେ ଶ୍ରୀ ପାଣ୍ଡେ ବଦଳି ହୋଇ ଯୋଗଦାନ କରିଥିଲେ ସୁନ୍ଦରଗଡ଼ର ଅନ୍ୟ ଏକ ସୁନାମଧନ୍ୟ ବିଦ୍ୟାଳୟ ଭବାନୀଶଙ୍କର ଉଚ୍ଚ ବିଦ୍ୟାଳୟରେ । ତାଙ୍କର ପୂର୍ବ ଅନୁଭବକୁ ପାଥେୟ କରି ଏହି ଶତାୟୁ ବିଦ୍ୟାଳୟରେ ମଧ୍ୟ ଛାତ୍ରାବାସର ପରିଚାଳନା ଦାୟିତ୍ଵ ଅତ୍ୟନ୍ତ ସୁଚାରୁ ଭାବରେ ଅବସର ଗ୍ରହଣ ପର୍ଯ୍ୟନ୍ତ ତୁଲାଇଥିଲେ ଶ୍ରୀ ପାଣ୍ଡେ। ଶିକ୍ଷାଦାନ ସାଙ୍ଗକୁ ବିଦ୍ୟାଳୟର ପରିବେଶ କିପରି ସୁନ୍ଦର ରହିବ ସେ ଦିଗରେ ତାଙ୍କର ଅବଦାନ ଥିଲା ପ୍ରଶଂସାଯୋଗ୍ୟ। ହଷ୍ଟେଲରେ ଛାତ୍ର,ଛାତ୍ରୀ ନିଜର ଅବସର ସମୟରେ ଉଦ୍ୟାନ ସୃଷ୍ଟି କରି ଆନନ୍ଦ ପାଇବାର କଳା ଶିଖାଇଥିଲେ ଏହି ସୁନାମଧନ୍ୟ ଶିକ୍ଷକ। ଶ୍ରୀ ପାଣ୍ଡେଙ୍କ ପତ୍ନୀ ସୁରମା ପଟେଲ୍ ମଧ୍ୟ ଜଣେ ସରକାରୀ ଶିକ୍ଷୟିତ୍ରୀ ଭାବରେ ବର୍ତ୍ତମାନ କାର୍ଯ୍ୟରତ।
ଆଜି ଏହି ଅବସରକାଳୀନ ସଭାରେ ବିଦ୍ୟାଳୟର ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଯଥା ସୁବାସିନି ରାଉତରାୟ, ସୁଧାଂଶୁ ଚୌଧୁରୀ,ନନ୍ଦିତା ନାଏକ,ସବାନା ବେଗମ୍, ବୀର୍ ବିକ୍ରମ ସିଂହଦେଓ, ପ୍ୟାରୀମୋହନ ନାଏକ, ସୁସ୍ମିତା ଯୋଷୀ, ସ୍ୱାଗତିକା ପଣ୍ଡା, ସୁଚିତା ପାଣିଗ୍ରାହୀ, ରାଘବେନ୍ଦ୍ର ନାରାୟଣ ଠାକୁର, ସୁନନ୍ଦା ଚୌଧୁରୀ ,ଵିଧୁ ଭୂଷଣ ନାଏକ ,ଦେବେନ୍ଦ୍ର ଭାଇସାଲ,ବିଜୟ ପାଣିଗ୍ରାହୀ ତଥା ଅନ୍ୟାନ୍ୟ କର୍ମଚାରୀ ଆଲୋକ ମହାରଣା,ବିନୟ କୁମାର ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଉପସ୍ଥିତ ଥିଲେ। ଆସିଥିଲା ଏକ ଆବେଗଭରା ମୁହୂର୍ତ୍ତ ଯେତେବେଳେ ଏହି ପରିପ୍ରେକ୍ଷୀରେ ଆୟୋଜିତ ଜୁମ୍ ମିଟିଂରେ ଯୋଗ ଦେଇଥିବା ୩୦ ଶିକ୍ଷାର୍ଥୀଙ୍କ ମଧ୍ୟରୁ ଛାତ୍ରୀ ଅର୍ପା ବିପ୍ର ଓ ସଂଘମିତ୍ରା କୁଣ୍ଡୁ ତାଙ୍କ ଅଭଭାଷଣରେ ଶ୍ରୀ ପାଣ୍ଡେଙ୍କ ପ୍ରତି ତାଙ୍କର ସମ୍ମାନ ଜଣାଇ ଥିଲେ। ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ ଶ୍ରୀବତ୍ସ ଚୌଧୁରୀ, ମୁଖ୍ୟ ଅତିଥି ସଂଯୁକ୍ତା ବହିଦାର, ସୁବାସିନି ରାଉତରାୟ, ସୁଧାଂଶୁ ଚୌଧୁରୀ,ବୀର ବିକ୍ରମ ସିଂହଦେଓ, ପ୍ୟାରୀମୋହନ ନାଏକ , ସୁସ୍ମିତା ଯୋଷୀ ,ବିଜୟ ପାଣଗ୍ରାହୀ ଶ୍ରୀ ଗୌରାଙ୍ଗ ଚନ୍ଦ୍ର ପାଣ୍ଡେଙ୍କ ଶିକ୍ଷକତା ସମୟର ଅନେକ ସ୍ମୁତି ମନ୍ଥନ କରି ଭାବବିହ୍ୱଳ ହୋଇ ପଡ଼ିଥିଲେ ଏବଂ ଅବସରପରର ଜୀବନ ପାଇଁ ଶୁଭକାମନା କରିଥିଲେ। ବିଦ୍ୟାଳୟ ତରଫରୁ ବିଦାୟୀ ଶିକ୍ଷକ ଶ୍ରୀ ଗୌରାଙ୍ଗ ଚନ୍ଦ୍ର ପାଣ୍ଡେଙ୍କୁ ଏକ ମାନପତ୍ର ସହିତ ଅନ୍ୟାନ୍ୟ ଉପହାର ମଧ୍ୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ବିଶ୍ବରଂଜନ ହୋତା , ସୁନ୍ଦରଗଡ଼



