Wednesday, July 22, 2026
Home ଜାତୀୟ ‘ଚେନ୍ନାଇ ସଂଯୋଗ’ ମାଧ୍ୟମରେ ଭାରତ-ଚୀନ ସମ୍ପର୍କର ଏକ ନୂତନ ଯୁଗ ଆରମ୍ଭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

‘ଚେନ୍ନାଇ ସଂଯୋଗ’ ମାଧ୍ୟମରେ ଭାରତ-ଚୀନ ସମ୍ପର୍କର ଏକ ନୂତନ ଯୁଗ ଆରମ୍ଭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

34
PIB

ଚେନ୍ନାଇ: ତାମିଲନାଡୁର ଚେନ୍ନାଇ, ମାମଲ୍ଲାପୁରମଠାରେ ଅନୁଷ୍ଠିତ ଦ୍ୱିତୀୟ ଅନୌପଚାରିକ ଶିଖର ସମ୍ମିଳନୀ ଭାରତ ଓ ଚୀନ ମଧ୍ୟରେ ସହଯୋଗର ଏକ ନୂତନ ଯୁଗ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମତବ୍ୟକ୍ତ କରିଛନ୍ତି ।

ଆଜି ମାମଲ୍ଲାପୁରମଠାରେ ଅନୁଷ୍ଠିତ ଅନୌପଚାରିକ ସମ୍ମିଳନୀର ଦ୍ୱିତୀୟ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ମିଷ୍ଟର ସି. ଜିନପିଙ୍ଗଙ୍କ ସହଅଧ୍ୟତାରେ ଅନୁଷ୍ଠିତ ପ୍ରତିନିଧି ମଣ୍ଡଳସ୍ତରୀୟ ଆଲୋଚନାରେ ପ୍ରଧାନମନ୍ତ୍ରୀ ତାଙ୍କ ଉଦଘାଟନୀ ବକ୍ତବ୍ୟ ଦେଉଥିଲେ ।

ଗତ ବର୍ଷ ଉହାନଠାରେ ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଅନୌପଚାରିକ ସମ୍ମିଳନୀ ସମ୍ପର୍କରେ ସୂଚନା ପ୍ରଦାନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ଏହା ଦ୍ୱାରା ଆମ ସମ୍ପର୍କରେ ସ୍ଥିରତା ବୃଦ୍ଧି ପାଇବା ସହ ଏହାକୁ ଏକ ନୂତନ ଗତି ମିଳିଛି ।

ସେ କହିଥିଲେ, “ଦୁଇ ଦେଶ ମଧ୍ୟରେ ରଣନୈତିକ ସମ୍ପର୍କ ବୃଦ୍ଧି ପାଇଛି ।”

ପ୍ରଧାନମନ୍ତ୍ରୀ ପୁନଶ୍ଚ କହିଥିଲେ, “ଆମେ ଆମର ମତାନ୍ତରକୁ ବିବାଦରେ ପରିଣତ ନକରି ବିଚାରଶୀଳତାର ସହ ଏହାର ସମାଧାନ କରିବାକୁ ନିଷ୍ପତ୍ତି ନେଇଛୁ । ଆମେ ପରସ୍ପରର ଆବଶ୍ୟକତାକୁ ନେଇ ସମ୍ବେଦନଶୀଳ ଏବଂ ଆମ ସମ୍ପର୍କ ବିଶ୍ୱ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରୟାସ କରିବ ।”

ମାମଲ୍ଲାପୁରମଠାରେ ଅନୁଷ୍ଠିତ ଦ୍ୱିତୀୟ ଅନୌପଚାରିକ ଶିଖର ସମ୍ମିଳନୀ ସମ୍ପର୍କରେ ସୂଚନା ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଲେ, “ଚେନ୍ନାଇ ସମ୍ମିଳନୀରେ ଏପର୍ଯ୍ୟନ୍ତ ଆମେ ବିଭିନ୍ନ ଦ୍ୱିପାକ୍ଷିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ବ୍ୟାପକ ଭାବେ ଆଲୋଚନା କରିଛୁ । ଉହାନ ସମ୍ମିଳନୀ ଆମ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂତନ ଗତି ପ୍ରଦାନ କରିଛି । ଆଜି ‘ଚେନ୍ନାଇ ସଂଯୋଗ’ ଦ୍ୱାରା ଆମ ଦୁଇ ଦେଶର ସମ୍ପର୍କ କ୍ଷେତ୍ରରେ ଏକ ନୂତନ ଯୁଗ ଆରମ୍ଭ ହୋଇଛି ।”

“ଆମର ଦ୍ୱିତୀୟ ଅନୌପଚାରିକ ସମ୍ମିଳନୀ ପାଇଁ ଭାରତ ଆସିଥିବାରୁ ମୁଁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଧନ୍ୟବାଦ ଅର୍ପଣ କରୁଛି । ‘ଚେନ୍ନାଇ ସଂଯୋଗ’ ଭାରତ-ଚୀନ ସମ୍ପର୍କକୁ ମଜଭୁତ କରିବ । ଏହା ଦ୍ୱାରା ଆମ ଦେଶର ଜନସାଧାରଣ ଓ ବିଶ୍ୱ ଉପକୃତ ହେବେ ।”

(ସ୍ରୋତ-ପିଆବି)