
ଭୁବନେଶ୍ୱର,୨୭/୦୪/୨୧ (ଜିଲ୍ଲା ଖବର) : ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨୦୦୦ ପାର କରିଛି । ଆଜି ଆଉ ୧୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଛନ୍ତି ସର୍ବାଧିକ ୪ ଜଣ ସଂକ୍ରମିତ । ସେହିପରି ସୁନ୍ଦରଗଡ଼ରୁ ୩ ଜଣ, ରାୟଗଡ଼ାରେ ଆଉ ଦୁଇ ଜଣ ଆକ୍ରାନ୍ତ କରୋନାରେ ଆଖି ବୁଜିଛନ୍ତି । ବୌଦ୍ଧ ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ କରୋନା । ସେପଟେ ରାଜ୍ୟରେ ୬ ହଜାର ତଳକୁ ଖସୁନି ଦୈନିକ ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୬ ହଜାର ୭୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩ ହଜାର ୫୨୨ଟି ମାମଲା ଆସିଥିବା ବେଳେ ୨ ହଜାର ୫୫୧ଟି ମାମଲା ସ୍ଥାନୀୟ ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୯୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୨୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୬୭ ହଜାର ୧୧୧ ଜଣ।


