
ଭୁବନେଶ୍ୱର, ୨୫/୦୪/୨୧(ଜିଲ୍ଲା ଖବର): ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ଚାଲିଛି ସପ୍ତାହନ୍ତ ସଟଡାଉନ । ଆଜି ସଟଡାଉନର ଦ୍ୱିତୀୟ ଦିନ । ଗତକାଲି ଭଳି ଆଜି ମଧ୍ୟ ସଟଡାଉନ କଟକଣା ରହିଛି । ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ବଢ଼ିଚାଲିଥିବା ସଂକ୍ରମଣକୁ ଶିଥିଳ କରିବାକୁ ସହରାଞ୍ଚଳରେ ବ୍ଲକିଂ ଆଉ ଚେକିଂକୁ ଜୋରଦାର କରାଯାଇଛି । ସହରାଞ୍ଚଳର ପ୍ରବେଶ ପଥ ଗୁଡ଼ିକରେ ଜଗି ରହିଛନ୍ତି ପୋଲିସ । ସପ୍ତାହାନ୍ତ ସଟଡାଉନ ଭିତରେ ଅମାନିଆଙ୍କୁ ଜଗିବାକୁ କଟକର 25ଟି ଏବଂ ଭୁବନେଶ୍ୱରରେ 43ଟି ଜାଗାରେ ନାକା ଲଗାଇଛି ପୋଲିସ । ପିସିଆର ଭ୍ୟାନରେ ମାଇକ ଜରିଆରେ ଲୋକଙ୍କୁ ସଚେତନ ବି କରୁଛି । ସଟଡାଉନ ସମୟରେ ଜରୁରୀକାଳୀନ ଏବଂ ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ବ୍ୟକ୍ତିଙ୍କୁ ବାଦ ଦିଆଯାଇଛି । ଗତକାଲି ପ୍ରଥମ ଦିନରେ ଅଧିକାଂଶ ଲୋକ ନିୟମ ମାନି ଘରୁ ଗୋଡ଼ କାଢ଼ିନାହାଁନ୍ତି । ଏଭଳି ସ୍ଥିତିରେ କିଛି ଗ୍ରାମୀଣ ଅଞ୍ଚଳରେ ସଟଡାଉନ ଜାରି ହୋଇନଥିଲେ ବି ଲୋକେ କିନ୍ତୁ ସ୍ୱତଃପ୍ରବୃତ୍ତ ଭାବେ ଦୋକାନ ବଜାର ବନ୍ଦ କରିଥିବା ଦେଖିବାକୁ ମିଳିଥିଲା ।


