
ଜଟଣୀ,୨୧/୪(ଜିଲ୍ଲା ଖଵର) : ଛାତ୍ରୀଙ୍କଠାରୁ ମୋବାଇଲ ଫୋନ ଝାମ୍ପିନେଇ ଚମ୍ପଟ ମାରିଥିବା ୨ଜଣ ଅଭିଯୁକ୍ତଙ୍କୁ ଜଟଣୀ ପୁଲିସ ଗିରଫକରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ଆହୁରି କେତେକଙ୍କଠାରୁ ମୋବାଇଲ ଫୋନ ଲୁଟିଥିବା ତଦନ୍ତପରେ ଜଣାପଡିଛି ବୋଲି ପୁଲିସ ପକ୍ଷରୁ ସୁଚନା ମିଳିଛି । ସୁଚନାନୁସାରେ, ଜଟଣୀଥାନା ଅନ୍ତର୍ଗତ ବାଛରାଅଂଚଳର ତ୍ରିଲୋଚନ ସାହୁଙ୍କ ଝିଅ ଚଳିତ ୧୨ ତାରିଖ ସଂଧ୍ୟାରେ ଟିଉସନରୁ ଘରକୁ ଫେରୁଥିବା ବେଳେ ବାଛରାମୁଣ୍ଡିଆ ନିକଟରେ ୨ଜଣ ଯୁବକ ତାଙ୍କଠାରୁ ମୋବାଇଲ ଫୋନ ଝାମ୍ପିନେଇ ଚମ୍ପଟ ମାରିଥିଲେ । ଏନେଇ ତ୍ରିଲୋଚନ ଜଟଣୀଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୁଲିସ ତଦନ୍ତପରେ ଏମାନଙ୍କଠାରୁ ମୋବାଇଲ ଫୋନକୁ ଜବତ କରିବା ସହିତ ସୋମବାର ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ପୁଲିସ ଗିରଫ କରିଥିଲା । ଏଥି ସହିତ ଅଧିକ ତଦନ୍ତପରେ ସେମାନଙ୍କ ନିକଟରେ ଆହୁରୀ ୫ଟି ଚୋରା ମୋବାଇଲ ଫୋନ ମିଳିଥିଲା । ଏନେଇ ଚୋରି ମୋବାଇଲକୁ ଜବତ କରିବା ସହିତ ବ୍ୟବହାର କରୁଥିବା ଏକ ବାଇକକୁ ପୁଲିସ ମଧ୍ୟ ଏମାନଙ୍କଠାରୁ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀଥାନା ଅନ୍ତର୍ଗତ ବୁଢାପଡା ଅଂଚଳର ବୃନ୍ଦାବନ ସାହୁ (୨୩) ଓ ପ୍ରମୋଦ ସାହୁ(୨୬) । ଏ ନେଇ ଜଟଣୀଥାନା କେଶ ନଂ ୧୯୩/୨୧ରେ ମାମଲା ରୁଜୁକରି ଆଜି ଜଟଣୀ ଜେଏମଏଫସି କୋର୍ଟକୁ ଚାଲାଣ କରିଥିବା ପୁଲିସ ପକ୍ଷରୁ କୁହାଯାଇଛି ।
ରିପୋର୍ଟ,ସଞ୍ଜୀବ କୁମାର


