
ଭୁବନେଶ୍ୱର,୧୭/୪(ଜିଲ୍ଲା ଖଵର) : ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ କୋଭିଡ୍ ଚିକିତ୍ସା ଓ ପ୍ରତିରୋଧକ ପାଇଁ ଉପଯୋଗ ହେଉଥିବା ଔଷଧ ଓ ମେଡିକାଲ ସାରଞ୍ଜମର କଳାବଜାରୀ ରୋକିବା ନିମନ୍ତେ ରାଜ୍ୟ ସରକାର ଆଜି ଏକ ୩ ଜଣିଆ କମିଟି ଗଠନ କରିଛନ୍ତି।
ଏନେଇ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ କୋଭିଡ୍ ଚିକିତ୍ସା ଓ ପ୍ରତିରୋଧକ ପାଇଁ ଉଦ୍ଦିଷ୍ଟ ମେଡିସିନ୍ ଓ ସର଼ଞ୍ଜାମକୁ କେତେକ ଅସାଧୁ ବ୍ୟବସାୟୀ ବେଆଇନ ଭାବେ ଠୁଳ କରିବା ସହ କଳାବଜାରୀ କରୁଥିବା ନେଇ ସୂଚନା ରାଜ୍ୟ ସରକାରଙ୍କୁ ମିଳିଛି। ବେଆଇନ ଠୁଳ ଓ କଳାବଜାରୀ ବନ୍ଦ କରିବା ନିମନ୍ତେ ରାଜ୍ୟ ସରକାର ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି। କମିଟିର ମୁଖ୍ୟ ଭାବେ କ୍ରାଇମବ୍ରାଂଚ ଅତିରିକ୍ତ ଡିଜି କାର୍ଯ୍ୟ କରିବେ। ସେହିପରି କମିଟିର ସଦସ୍ୟ ଆବାହକ ଭାବେ ଓଡ଼ିଶା ସରକାରଙ୍କ ଡ୍ରଗ୍ସ ନିୟନ୍ତ୍ରକ ରହିଥିବାବେଳେ ସଦସ୍ୟ ଭାବେ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ପାହ୍ୟାରୁ ଉର୍ଦ୍ଧ୍ୱ ଜଣେ ଅଫିସର ରହିବେ।
ଔଷଧର କଳାବଜାରୀ ଓ ବେଆଇନ ଠୁଳକୁ ରୋକିବା ପାଇଁ ଏହି ରାଜ୍ୟସ୍ତରୀୟ କମିଟି କାର୍ଯ୍ୟ କରିବ ବୋଲି ଗୃହ ବିଭାଗ ପକ୍ଷରୁ ଆଜି ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି।
ରୀପୋର୍ଟ,ସଞ୍ଜୀବ କୁମାର


