
ହିଞ୍ଜିଳିକାଟୁ,୧୫/୪(ଜିଲ୍ଲା ଖଵର) : ଗତକାଲି ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗର ନିର୍ଦେଶନାମା ପ୍ରକାରେ ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କ ବଦଳି ଘୋଷଣା ହୋଇଛି। ସେ ବଦଳି ହୋଇ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ବଦଳି ହୋଇଥିବା ସୂଚନା ମିଳିଛି। ଗତ ୨୧/ମଇ/୨୦୧୮ରେ ସେ ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ବିଭିନ୍ନ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହ ସମନ୍ୱୟ ସ୍ଥାପନ କରି ପ୍ରତ୍ୟେକ ପଞ୍ଚାୟତ ପାଇଁ ଆବଶ୍ୟକୀୟ ଭିନ୍ନ ଭିନ୍ନ ବିକାଶ ଢାଞ୍ଚା ପ୍ରସ୍ତୁତ କରିବା ସହ ତଦନୁଯାୟୀ କାର୍ଯ୍ୟକ୍ରମ ଧାର୍ଯ୍ୟ କରିଥିଲେ। ତାଙ୍କ କର୍ତ୍ତବ୍ୟନିଷ୍ଠା ଓ ସୁପରିଚାଳନା କାରଣରୁ ହିଞ୍ଜିଳି ପଞ୍ଚାୟତ ସମିତି ବିଗତ ତିନି ବର୍ଷରେ ୩ଥର ଜାତୀୟ ସ୍ତରରେ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ହାସଲ କରିବା ସହ ରାଜ୍ୟ ସ୍ତରରେ ସ୍ୱଚ୍ଛ ସର୍ବେକ୍ଷଣ, ଜିଲ୍ଲା ସ୍ତରରେ ଗ୍ରାମୀଣ ଗୃହ ନିର୍ମାଣ ଉତ୍କର୍ଷ ପୁରସ୍କାର, ଉର୍ଜ୍ଜା ପୁରସ୍କାର ଆଦି ଅନେକ ପୁରସ୍କାର ଲାଭ କରିପାରିଛି। ତାଙ୍କ କାର୍ଯ୍ୟକଳାପକୁ ଅନେକ ପଞ୍ଚାୟତ ପ୍ରତିନିଧି ଏବଂ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।


