
ଭୁବନେଶ୍ୱର, ୧୨/୦୪(ଜିଲ୍ଲା ଖଵର) : ଓବିସି ଓ ସାଧାରଣ ବର୍ଗ ଲୋକଙ୍କ ଉପରେ ଜାତିଭିତ୍ତିକ ଆଟ୍ରୋସିଟି ଆଇନର ଆତଙ୍କ ବିଷୟରେ ଊଣା ଅଧିକ ଆମେ ସମସ୍ତେ ଅବଗତ । ଏଥିରେ କୌଣସି ପ୍ରକାର ପୃଷ୍ଠଭୂମି ଅନୁସନ୍ଧାନ ନକରି ସିଧାସଳଖ ଅଭିଯୋଗକାରୀଙ୍କ ଅନୁସୂଚିତ ଜାତି ସଲଗ୍ନତା ଦେଖି ଓବିସି ବା ସାଧାରଣ ବର୍ଗର ଅଭିଯୁକ୍ତ ବ୍ୟକ୍ତିବିଶେଷଙ୍କୁ ଗିରଫ କରି ନିଆଯାଏ । ତେଣିକି ସେ ଅଭିଯୁକ୍ତ ବ୍ୟକ୍ତି କେତେ ଦୋଷୀ ବା ନିର୍ଦ୍ଦୋଷ ମହାନ୍ ହୋଇଥାନ୍ତୁ ନା କାହିଁକି । ଏଭଳି ଏକ ଅନ୍ଧ ଆଇନର ବ୍ୟାପକ ଦୁରୁପଯୋଗ ହେବାର ପ୍ରଚୁର ପ୍ରମାଣ ସହ ସୁପ୍ରିମକୋର୍ଟରେ ବିଚାର ହେଲା ପରେ ମାନନୀୟ ସୁପ୍ରିମକୋର୍ଟ ୨୦୧୮ ମସିହା ମାର୍ଚ୍ଚ ମାସରେ ଏଭଳି ଗିରଫଦାରୀ ନିୟମକୁ ରଦ୍ଦ କରି ଉଚ୍ଚ ଅଧିକାରୀଙ୍କ ତଦନ୍ତ ପରେ ଗିରଫ କରିବା ନେଇ ନୂତନ ନିର୍ଦ୍ଦେଶନାମା ଦେଇଥିଲେ ଏବଂ ଏହି ଅନ୍ଧ ଆଇନର ଆଖିକୁ କିଛି ମାତ୍ରାରେ ଖୋଲି ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟ ଓ ପରିତାପର ବିଷୟ ଭାରତର ଜାତିଭିତ୍ତିକ ଗଣତନ୍ତ୍ର ଓ ଭୋଟ୍ ବ୍ୟାଙ୍କ ରାଜନୀତିରେ କୁଷ୍ଠଗ୍ରସ୍ତ ସମସ୍ତ ରାଜନୈତିକ ଦଳଙ୍କ ଦୁରାଗ୍ରହରେ ସୁପ୍ରିମକୋର୍ଟର ଅପମାନ କରି ସଂସଦରେ ଏହି ଆଇନରେ ସଂଶୋଧନ ବା ନୂତନ ନିର୍ଦ୍ଦେଶନାମାକୁ ନାକଚ କରି ଦିଆଗଲା ଏବଂ ଖୋଲି ଯାଇଥିବା ଆଖିକୁ ପୁଣି ଥରେ ବନ୍ଦ କରି ଦିଆଗଲା । ତେବେ ଚଳିତ ପ୍ରସଙ୍ଗରେ ଅଭିଯୁକ୍ତ ସାମାଜିକ କର୍ମୀ ଜଣେ ଆଇଏଏସ୍ ଅଧିକାରୀ କୋଟା ନେଇ ସମର୍ଥ ଓ ସମ୍ପନ୍ନ ହେବା ପରେ ନିଜ ପିଲାମାନଙ୍କ ପାଇଁ ପୁଣି ଥରେ କୋଟା ବ୍ୟବହାର କରିବାର ଆବଶ୍ୟକତା ଓ ଯଥାର୍ଥତା ଉପରେ ପ୍ରଶ୍ନ କରି ପ୍ରଚଳିତ ଜାତିକୋଟା ରାଜନୀତିର ଭୟଙ୍କରତା ଉପରେ ଛୋଟ ପୋଷ୍ଟଟିଏ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଉଚ୍ଚପଦସ୍ଥ ଆଇଏଏସ୍ ଅଧିକାରୀ ଜଣକ ଜାତିଭିତ୍ତିକ ଆଟ୍ରୋସିଟି ଆଇନର ପ୍ରୟୋଗ କରି ସେ ସାମାଜିକ କର୍ମୀ ପ୍ରଦୀପ ରାଉତରାୟଙ୍କ ସମେତ ଏହାକୁ ସେୟାର କରିଥିବା ଅନ୍ୟ ଜଣେ ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳଙ୍କୁ ଜେଲରେ ପୁରାଇ ଦେଇଛନ୍ତି । ତେବେ କଥା ହେଉଛି ଏଭଳି ପୋଷ୍ଟ କୌଣସି ନୂଆ କଥା ନୁହେଁ । ଏହାଦ୍ୱାରା କୌଣସି ସାମାଜିକ ଦଙ୍ଗା କିମ୍ବା ଜାତିଗତ ବିଦ୍ୱେଷ ହେଲାଭଳି ବାତାବରଣ ବି ଉତ୍ପନ୍ନ ହୋଇନାହିଁ । ବରଂ ସେହି ଅନୁସୂଚିତ ଜାତିର ପ୍ରଗତିଶୀଳ ରାଷ୍ଟ୍ରବାଦୀ ଯୁବକମାନେ ଏଭଳି ବାରମ୍ବାର କୋଟା ବ୍ୟବହାର କରୁଥିବା ଧନୀ ସମର୍ଥ ବ୍ୟକ୍ତିବିଶେଷଙ୍କୁ କୋଟାରୁ ବାଦ ଦେବାପାଇଁ ଆନ୍ଦୋଳନ କଲେଣି । ଏବଂ ଏଇଥିପାଇଁ ଦଶ ବର୍ଷ ପାଇଁ ଦିଆଯାଇଥିବା କୋଟା ଆଜି ସତୁରି ବର୍ଷ ପରେ ବି ତଳ ସ୍ତରରେ ରହିଥିବା ଲୋକଙ୍କ ପାଖରେ ପହଞ୍ଚି ପାରି ନାହିଁ ବୋଲି ଅଭିଯୋଗ କଲେଣି । ଅଥଚ ସେଇ ସମାନ କଥା ଜଣେ ସାଧାରଣ ବର୍ଗର ବ୍ୟକ୍ତି ଲେଖିଦେଲେ କଅଣ ଏତେ ବଡ଼ ଅପରାଧ ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ବର୍ଗ ପ୍ରତିନିଧି ଜେନେରାଲ ଦୀନବନ୍ଧୁ ଷଡ଼ଙ୍ଗୀ । ଏଇ ସାମାନ୍ୟ କଥା ପାଇଁ ଜଣେ ଉଚ୍ଚପଦସ୍ଥ ଆଇଏଏସ ଅଧିକାରୀ ଏତେ ତଳକୁ ଓହ୍ଲେଇ ଆସି ପ୍ରତିହିଂସାପରାୟଣ ଭଳି ଆଚରଣ ପ୍ରଦର୍ଶନ କରିବା ତାଙ୍କର ସେଇ ନିକୃଷ୍ଟ ଜାତିଗତ ମାନସିକତାର ପରିଚୟ ଦେଉଛି ବୋଲି କହିଛନ୍ତି ସେ । ଜଣେ ବ୍ୟକ୍ତି ଆଇଏଏସ ହୋଇ ଅନେକ ବର୍ଷ କାମ କରିବା ପରେ ବରିଷ୍ଠତା ଭିତ୍ତିରେ ଉଚ୍ଚ ପଦପଦବୀରେ ରହି ସମାଜରେ ପ୍ରତିଷ୍ଠିତ ହୋଇଥିଲା ବେଳେ ସମାଜରେ ବଞ୍ଚିତ, ନିଷ୍ପେସିତ, ଦଳିତ, ଅତ୍ୟାଚାରିତଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଆଇନର ଏଭଳି ଅପବ୍ୟବହାର କରିବା ତାଙ୍କ ପକ୍ଷରେ ଶୋଭା ପାଏନି ବୋଲି ସେ କହିଛନ୍ତି । ଏହାଦ୍ୱାରା ସମାଜରେ ବଞ୍ଚିତ, ଦଳିତ ବର୍ଗ ପାଇଁ ରହିଥିବା ସମବେଦନା ବାଧିତ ହେବ । ଅନୁସୂଚିତ ଜାତିର ନିରୀହ ଜନସାଧାରଣଙ୍କ ପ୍ରତି ଦୟାଶୀଳ ହୋଇ ସେ ଏଭଳି ଅମାନବୀୟ କାର୍ଯ୍ୟରୁ ନିବୃତ୍ତ ହେବା ପାଇଁ ଅନୁରୋଧ କରିଛନ୍ତି । ଅଧିକାରୀମାନଙ୍କ ପ୍ରଶିକ୍ଷଣ ସମୟରେ ଅସୀମ ଧୈର୍ଯ୍ୟ ଓ ସାହସର ସହ ସରକାରୀ ପଦମର୍ଯ୍ୟାଦାର ରକ୍ଷା ପାଇଁ ଜାତି, ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟର ଉର୍ଦ୍ଧ୍ବରେ ରହି କାର୍ଯ୍ୟ କରିବା ପାଇଁ ଟ୍ରେନିଂ ଦିଆଯାଇଥାଏ । ଯଦି ତା’ପରେ ବି ଜଣେ ଅଧିକାରୀ ନିଜକୁ ଦଳିତ, ବଞ୍ଚିତ କହି ଅନ୍ୟମାନଙ୍କ ପ୍ରତି ଦୁରଗ୍ରହ ରଖିବ ତେବେ ସେଭଳି ଅଧିକାରୀ କୌଣସି ସମ୍ବେଦନଶୀଳ ସ୍ଥାନରେ ପୋଷ୍ଟିଂ ପାଇଲେ କିଭଳି କାମ କରିବେ ? ଜଣେ ଆଇଏଏସ ଅଧିକାରୀ ହୋଇ ବରିଷ୍ଠ ହେଲା ପରେ ବି ସେ ଯଦି ନିଜକୁ ଦଳିତ, ଅତ୍ୟାଚାରିତ, ନିଷ୍ପେସିତ ରୂପେ ଚିତ୍ରିତ କରୁଛନ୍ତି ବା ସେହିଭଳି ପରିଚିତି ସୃଷ୍ଟି କରୁଛନ୍ତି ତେବେ ତାହା ଦୁର୍ଭାଗ୍ୟଜନକ । କୌତୁହଳର ବିଷୟ ହେଉଛି ଯେ ସେ ଆଇଏଏସ ଅଧିକାରୀଙ୍କ ବିରୋଧରେ କୋଟି କୋଟି ଟଙ୍କାର ଦୁର୍ନୀତି ମାମଲା ଲୋକାୟୁକଙ୍କ ଦରବାରରେ ଗଡୁଛି । ଓମ୍ଫେଡ଼ରେ କୋଟି କୋଟି ଟଙ୍କାର ଦୁର୍ନୀତି ମାମଲା ଥିଲାବେଳେ ରାଜ୍ୟ ସମବାୟ ବ୍ୟାଙ୍କରେ ମ୍ୟାନେଜିଂ ଡ଼ାଇରେକ୍ଟର ଭାବରେ ଅଧିଷ୍ଠିତ ଥାଇ କରିଥିବା ଦୁର୍ନୀତିର ପର୍ଦ୍ଦାଫାଶ ହୋଇଚାଲିଥିଲା l ଏନେଇ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳ । ଏଣୁ ଶ୍ରୀକାନ୍ତ ପାକଳଙ୍କ ପ୍ରତି ବ୍ୟକ୍ତିଗତ ଆକ୍ରୋଶ ରହିବା ସ୍ୱାଭାବିକ । ଏଠାରେ ସେ ନିଜର ବ୍ୟକ୍ତିଗତ ଆକ୍ରୋଶ ମେଣ୍ଟାଇବା ପାଇଁ ଜାତିଗତ ଆଟ୍ରୋସିଟି ଆଇନର ବ୍ୟବହାର କରିବା ପାଇଁ ସହଜ ମନେ କରିଛନ୍ତି ବୋଲି ଯାହା ଦିବାଲୋକ ଭଳି ସ୍ପଷ୍ଟ ପ୍ରତୀୟମାନ ହେଉଛି । ଏଣୁ ସେ ନିଜକୁ ଦଳିତ, ନିଷ୍ପେସିତ ବୋଲି ଦେଖାଇ ଅନୁସୂଚିତ ବର୍ଗର ନିରୀହ ଲୋକଙ୍କ ପ୍ରତି ସମାଜରେ ଥିବା ସମବେଦନାକୁ ନଷ୍ଟ କରନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି ସାଧାରଣ କର୍ମକର୍ତ୍ତାମାନେ । ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ଦିବାକର ବେହେରା , ସୁକାନ୍ତ କୁମାର ମହାନ୍ତି , ଭୀମସେନ ଭାଈ , ସିପ୍ରା ଚକ୍ରବର୍ତ୍ତୀ, ବନଜାବାସିନୀ ତ୍ରିପାଠୀ, ସଂଯୁକ୍ତା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ l


