
ଭୁବନେଶ୍ୱର, ୦୭/୦୪/୨୧ (ଜିଲ୍ଲା ଖବର) : କୋଭିଡ ପାଇଁ ଥିବା କଟକଣାକୁ ମାନିବା ଓ ରାଜ୍ୟରେ ପୋଲିସ ମୁତୟନ କରି ସଚେତନ କରିବାକୁ ୧୦ ଦିନ ଯାଏଁ ସ୍ୱତନ୍ତ୍ର ଅଭିଯାନ ଜାରି ରହିବ । ଆଜି ଠାରୁ ଏହି ଅଭିଯାନ ଆରମ୍ଭ ହେବ । କରୋନାର ବର୍ତମାନ ସ୍ଥିତିକୁ ଯଦି ଆମେ ଗୁରୁତର ସହ ନେବା ନାହିଁ ତାହାହେଲେ ସ୍ଥିତି ଆଗକୁ ଭୟଙ୍କର ହୋଇପାରେ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଶନିବାର ରବିବାର ମନ୍ଦିରକୁ ବନ୍ଦ କରିବା ପାଇଁ ଆଲୋଚନା ହୋଇଛି । ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ତୃଣମୂଳ ସ୍ତରରେ କୋଭିଡ ପରିଚାଳନା ବ୍ୟବସ୍ଥାକୁ ପୁନଃକାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ରାଜ୍ୟରେ ଫୋକସରେ ରହିଛି ପଶ୍ଚିମ ଓଡିଶା । ପଡୋଶୀ ଛତିଶଗଡ ଯୋଗୁଁ ପଶ୍ଚିମ ଓଡିଶାରେ କରୋନା ସଂକ୍ରମଣ ବଢୁଥିବାରୁ ଏହି ଜିଲ୍ଲାଗୁଡିକ ଉପରେ ଅଧିକ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ଲାଗି ତୁରନ୍ତ ଡାକ୍ତର, ପାରା ମେଡିକାଲ ଷ୍ଟାଫ, ଲ୍ୟାବ ଟେକନିସିଆନ ସହ ଆବଶ୍ୟକୀୟ ମ୍ୟାନପାୱାର ରଖିବାକୁ ବି କୁହାଯାଇଛି । ପଶ୍ଚିମ ଓଡିଶାରେ ସଂକ୍ରମଣ ବଢୁଥିବା ଡାକ୍ତରଖାନା ବି ପ୍ରସ୍ତୁତ ରଖିବାକୁ ମୁଖ୍ୟନନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅତ୍ୟଧିକ ସଂକ୍ରମଣ ହୋଇଥିବା ଅଂଚଳଗୁଡିକରେ ଡାକ୍ତରଖାନାଗୁଡିକୁ ପ୍ରସ୍ତୁତ ରଖିବା ସହ ଆମ୍ବୁଲାନ୍ସ, ଅମ୍ଲଜାନ ଯଥେଷ୍ଟ ପରିମାଣରେ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ପଟ୍ଟନାୟକ । ଆମ୍ବୁଲାନ୍ସ ଓ ହସପିଟାଲରେ ବେଡ ଉପଲବ୍ଧ ନ ହେବା ନେଇ କୌଣସି ଅଭିଯୋଗକୁ ବରଦାସ୍ତ କରାଯିବନାହିଁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।


