Home ଜାତୀୟ ଦ୍ୱାରକାର ଡିଡିଏ ପଡିଆରେ ଆୟୋଜିତ ଦଶହରା ଉତ୍ସବରେ ପ୍ରଧାନମନ୍ତ୍ରୀ

ଦ୍ୱାରକାର ଡିଡିଏ ପଡିଆରେ ଆୟୋଜିତ ଦଶହରା ଉତ୍ସବରେ ପ୍ରଧାନମନ୍ତ୍ରୀ

21
The Prime Minister, Shri Narendra Modi attending Dussehra Celebrations. at DDA Ground, Dwarka, in Delhi on October 08, 2019.

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଦ୍ୱାରକାର ଡିଡିଏ ପଡିଆରେ ଆୟୋଜିତ ଦଶହରା ସମାରୋହରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ବିଜୟା ଦଶମୀ ଅବସରରେ ଦେଶର ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଲେ ଯେ, ଭାରତ ହେଉଛି ଉତ୍ସବର ଭୂମି । ଆମ ଜୀବନ ସଂସ୍କୃତି କାରଣରୁ ଭାରତର କୌଣସି ନା କୌଣସି ଭାଗରେ ସବୁବେଳେ କୌଣସି ପର୍ବ କିମ୍ବା ଉତ୍ସବ ଆୟୋଜିତ ହୋଇଥାଏ । ସେ କହିଲେ ଯେ ଭାରତରେ ପର୍ବପର୍ବାଣୀ ଜରିଆରେ ଆମେ ଭାରତୀୟ ସଂସ୍କୃତିର ପ୍ରମୁଖ ଦିଗଗୁଡିକୁ ପାଳନ କରିଥାଉ । ଆମକୁ ବିଭିନ୍ନ ପ୍ରକାର କଳା, ସଂଗୀତ, ଗୀତ ଓ ନୃତ୍ୟ ସମ୍ବନ୍ଧରେ ସୂଚନା ମିଳିଥାଏ ।

ସେ କହିଲେ ଯେ ଭାରତ ହେଉଛି ଶକ୍ତି ସାଧନାର ଭୂମି । ଗତ ନଅ ଦିନ ଧରି ଆମେ ମା’ଙ୍କର ପୂଜା କରିଛୁ । ସେ କହିଲେ ଯେ ଏହି ଭାବନାକୁ ଆଗକୁ ନେଇ ଆମକୁ ମହିଳାମାନଙ୍କୁ ସମ୍ମାନ କରିବା ଏବଂ ସେମାନଙ୍କ ସଶକ୍ତିକରଣକୁ ଆହୁରି ଆଗକୁ ନେଇଯିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ‘ମନ କି ବାତ’ରେ ‘ଘର କୀ ଲକ୍ଷ୍ମୀ’ ଉପରେ ତାଙ୍କ ଆଲୋଚନାକୁ ଉଲ୍ଲେଖ କରି ଚଳିତ ଦୀପାବଳିରେ ଆମ ନାରୀଶକ୍ତିର ଉପଲବ୍ଧି ଉତ୍ସବ ପାଳନ କରିବା ପାଇଁ ଅନୁରୋଧ କରିଥିଲେ । ସେ କହିଥିଲେ ଯେ ଆଜି ବିଜୟା ଦଶମୀ ଓ ବାୟୁସେନା ଦିବସ ମଧ୍ୟ । ଭାରତ ଏହାର ବାୟୁସେନାକୁ ନେଇ ଅସୀମ ଗର୍ବ କରିଥାଏ ।

ଏହି ସମୟରେ ଯେତେବେଳେ ଆମେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛୁ, ପ୍ରଧାନମନ୍ତ୍ରୀ ବିଜୟାଦଶମୀ ଅବସରରେ ଏକ ଅନୁରୋଧ କରିଥିଲେ । ଏ ବର୍ଷ ଏକ ମିଶନ ଆରମ୍ଭ କରିବା ଏବଂ ଏହାକୁ ପୂରଣ କରିବା ପାଇଁ କାମ କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଏହି ମିଶନ-ଖାଦ୍ୟ ନଷ୍ଟ ନକରିବା, ଶକ୍ତି ସଂରକ୍ଷଣ କରିବା, ଜଳ ସଂରକ୍ଷଣ କରିବା ଆଦି ହୋଇପାରେ । ସେ କହିଲେ ଯେ ସାମୂହିକ ଭାବନାର ଶକ୍ତି ବୁଝିବାକୁ ହେଲେ ଆମକୁ ନିଶ୍ଚିତ ଭାବେ ଭଗବାନ ଶ୍ରୀକୃଷ୍ଣ ଓ ଭଗବାନ ରାମଙ୍କ ଠାରୁ ପ୍ରେରଣା ନେବାକୁ ହେବ । ଦ୍ୱାରକାର ଶ୍ରୀ ରାମଲୀଳା ସୋସାଇଟି ଦ୍ୱାରା ଆୟୋଜିତ ରାମଲୀଳା ପ୍ରଧାନମନ୍ତ୍ରୀ ଦେଖିଥିଲେ । କାର୍ୟ୍ୟକ୍ରମ ସମୟରେ ଅଧର୍ମ ଉପରେ ଧର୍ମର ବିଜୟକୁ ପ୍ରତୀକ ଭାବେ ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଦଙ୍କ ବିଶାଳକାୟ ପ୍ରତିମୂର୍ତ୍ତି ଜାଳିବାର ଦୃଶ୍ୟ ମଧ୍ୟ ସେ ଦେଖିଥିଲେ ।

(ସ୍ରୋତ-ପିଆବି)