
ସୁନ୍ଦରଗଡ଼,୬/୦୪(ଜିଲ୍ଲା ଖଵର) : ନିକଟ ଅତୀତରେ ବହୁ ଚର୍ଚ୍ଚିତ ହେମଗିରି ଥାନା ଅନ୍ତର୍ଗତ ବାଙ୍କିବାହଲ – ଟପରିଆ ରାସ୍ତାରେ ଘଟି ଯାଇଛି ଆଉ ଏକ ଦୁର୍ଘଟଣା। ଜୈନେକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ହଲଦିବାହାଲର ଜଣେ ବ୍ୟକ୍ତି ସୁରେଶ ବେହେରା (୪୫ବର୍ଷ) ଗୋପାଳପୁର ଠାରେ କୋଇଲା ବୋଝେଇ ଏକ ଟ୍ରେଲର ଧକ୍କାରେ ପ୍ରାଣତ୍ୟାଗ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ସୋମବାର ରାତିରେ ସୁରେଶ ନିଜ ଘରକୁ ଚାଲି ଚାଲି ଯାଉଥିବା ବେଳେ କୋଇଲା ବୋଝେଇ ଏକ ଟ୍ରେଲର ତାଙ୍କୁ ଧକ୍କା ଦେବାରୁ ସେ ଛିଟିକି ପଡ଼ିଥିଲେ ଓ ଘଟଣା ସ୍ଥଳରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଦୁର୍ଘଟଣା ଘଟାଇ ସାରି ଟ୍ରେଲର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଦୁର୍ଘଟଣା ବାବଦରେ ସ୍ଥାନୀୟ ଲୋକେ ପୋଲିସ୍ କୁ ସୂଚନା ପ୍ରଦାନ କରିଥିଲେ। ଏହାପରେ ପୋଲିସ୍ ପହଞ୍ଚି ଶବ ଉଦ୍ଧାର କରି ତଦନ୍ତ ଚଳାଇଛି ।
ଏଠାରେ ପ୍ରକାଶଯୋଗ୍ୟ ଯେ ଏହି ରାସ୍ତା କୋଇଲା ଓ ଖଣିଜ ପଦାର୍ଥ ପରିବହନ ପାଇଁ ଅନୁପଯୁକ୍ତ ଓ ବିପଦଶଙ୍କୁଳ ତଥା ଜୀବନଜୀବିକା ପ୍ରତି ବିପଦ ସୃଷ୍ଟି କରୁଥିବା ଦର୍ଶାଇ ଜନଶକ୍ତି ବିକାଶ ପରିଷଦର ସଦସ୍ୟ ଆନ୍ଦୋଳନ କରିଥିଲେ। ଏହା ପରେ ଜନଜୀବନର ସୁରକ୍ଷା ପାଇଁ ଏବଂ ରାସ୍ତାକୁ ବିପଦମୁକ୍ତ ରଖିବା ପାଇଁ ତଥା ସମସ୍ତ ଯାନବାହନର ସୁଗମ ଚଳନ ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଥିଲେ। ମାତ୍ର କିଛି ବିଶୃଙ୍କଳିତ ଗାଡ଼ି ଚାଳକଙ୍କ ଯୋଗୁଁ ରାସ୍ତାରେ ଜନ ଜୀବନହାନୀ ଘଟୁଥିବାରୁ ଜନମାନସରେ ଆଶଙ୍କା ସୃଷ୍ଟି ହେଉଛି। ନିକଟ ଅତୀତରେ ଘଟିଥିବା ୩ ଟି ଦୁର୍ଘଟଣା ଏବେ ଲୋକଙ୍କୁ ଭୟଭୀତ କରୁଅଛି । ଜିଲ୍ଲାପାଳଙ୍କ ଆଦେଶକୁ ଅବମାନନା କରୁଥିବା ଏବଂ ପୋଲିସ୍ ର ସର୍ତ୍ତକୁ ମାନୁ ନ ଥିବା ଚାଳକ ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଜନସାଧାରଣରେ ଦାବି ହେଉଛି।
ବିଶ୍ବରଂଜନ ହୋତା, ସୁନ୍ଦରଗଡ଼



