
୦୫/୦୪/୨୧ (ଜିଲ୍ଲା ଖବର) : ଛତିଶଗଡ ବୀଜାପୁରରେ 22 ଯବାନ ସହିଦ ଘଟଣା । ଛତିଶଗଡରେ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ର ଗୁହମନ୍ତ୍ରୀ ଅମିତ ଶାହ । ଗୃହମନ୍ତ୍ରୀଙ୍କ ସମେତ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ମଧ୍ୟ ଆକ୍ରମଣରେ ପ୍ରାଣ ହରାଇଥିବା ସୁରକ୍ଷା କର୍ମୀଙ୍କ କଫିନ୍ରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ସେପଟେ ଲୁହରେ ଭିଜିଛି ସମଗ୍ର ଅଞ୍ଚଳ । ପୁରା ଦେଶବାସୀଙ୍କୁ ସ୍ତବ୍ଧ କରିଛି ମାଓବାଦୀଙ୍କ ଏହି ବର୍ବର କାଣ୍ଡ । କଫିନରେ ପୁଷ୍ପମାଲ୍ୟ ଅର୍ପଣ ପରେ ଶାହା ଜଗଦଲପୁରର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିବେ । ଏବଂ ପରେ ଆହତ ଯବାନଙ୍କୁ ଭେଟିବେ । ଏହାସହ CRPF କ୍ୟାମ୍ପ ପରିଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ଜାପୁର-ସୁକମା ଜିଲ୍ଲାର ସୀମାବର୍ତ୍ତା ଅଞ୍ଚଳରେ ସୁରକ୍ଷାକର୍ମୀ ଗତକାଲି ଆରମ୍ଭ କରିଥିଲେ ନକ୍ସଲ ବିରୋଧୀ ଅଭିଯାନ । ବିଜାପୁର ଜିଲ୍ଲାର ଜୁନାଗଡ ଓ ଏକ୍କଲଗୁଡିମ ଅଞ୍ଚଳରେ ନକ୍ସଲ କମାଣ୍ଡର ମାଡବି ହିଡମା କ୍ୟାମ୍ପ କରିଥିବା ପୋଲିସକୁ ସୂଚନା ମିଳିଥିଲା । ଏହାପରେ ସିଆରପିଏଫ୍, କୋବ୍ରା ବାଟାଲିଅନ୍, ଡିଆରଜି ଓ ଏସଟିଏଫ ମିଳିତ ଅପରେସନ୍ ଚଳାଇଥିଲେ । ଏତିକିବେଳେ ମୃତ୍ୟୁର ଜାଲ ବିଛାଇ ଥିଲେ ମାଓବାଦୀ । ଫଳରେ 22 ବୀର ଯବାନଙ୍କୁ ହରାଇଛି ଦେଶ । ସେପଟେ 25 ରୁ 30 ନକ୍ସଲ ନିହତ ହୋଇଥିବା ସିଆରପିଏଫ ଡିଜି ଦାବି କରିଛନ୍ତି । ଏହି ଘଟଣାକୁ ବିଭିନ୍ନ ମହଲରେ ଘୋର ନିନ୍ଦା କରାଯାଉଥିବାବେଳେ ସହିଦଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।


