
ବୁଗୁଡା,୦୩/୦୪(ଜିଲ୍ଲା ଖଵର) : ବୁଗୁଡା ବ୍ଲକ୍ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅଧିନରେ ଥିବା ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ ଅଧ୍ୟାପକ କିଶୋର ଚନ୍ଦ୍ର ପଣ୍ଡା କୋଭିଡି ପଜେଟିଭ୍ ଚିହ୍ନଟ ହେବାପରେ ମହାବିଦ୍ୟାଳୟକୁ ତିନିଦିନ ପାଇଁ ସଟଡାଉନ ଅଧ୍ୟକ୍ଷ, ବୁଗୁଡା ବିଡିଓଙ୍କ ପରାମର୍ଶ କ୍ରମେ ଘୋଷଣା କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅଧ୍ୟାପକ ପଣ୍ଡା ଗତ ୨୬ ତାରିଖ ଠାରୁ ଛୁଟିରେ ରହିଥିଲେ । ସେହିଦିନଠାରୁ ଜ୍ୱର ଲାଗିରହିବା କାରଣରୁ ମେଡିକାଲରେ ଚାକିରୀ କରୁଥିବା ଜଣେ ପ୍ରାକ୍ତନ ଛାତ୍ରଙ୍କ ସହାୟତାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଜଏନ୍ କରିଥିଲେ ଏବଂ କୋଭିଡି ଟେଷ୍ଟ ପରେ ଆଇଡି ନଂ.୨୧୩୫୪୮୦୦୭୧୯ ପ୍ରକାରେ ଏପ୍ରିଲ ୧ ତାରିଖ ଦିନ କୋଭିଡି ପଜେଟିଭ ଘୋଷଣା କରାଯାଇଥିଲା । ଉକ୍ତ ରିପୋର୍ଟ ଅଧ୍ୟକ୍ଷ ପାଇଲା ପରେ ଉପଜିଲ୍ଲାପାଳ, ତହସିଲଦାର ଓ ବିଡିଓଙ୍କୁ ଅବଗତ କରାଇଥିଲେ । ବୁଗୁଡା ବିଡିଓଙ୍କ ପରାମର୍ଶ କ୍ରମେ ମହାବିଦ୍ୟାଳୟ ପ୍ରାଙ୍ଗଣକୁ ସାନିଟାଇଜ କରିବା ପାଇଁ ୩, ୪ ଓ ୫ ତିନିଦିନ ମହାବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି । ଅଧ୍ୟକ୍ଷ ସମେତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ କୋଭିଡି ଆଣ୍ଟିଜେନ ଟେଷ୍ଟ କରିବା ପାଇଁ ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ନିର୍ଦ୍ଦେଶ ଦେଇଛନ୍ତି । ମହାବିଦ୍ୟାଳୟର କୌଣସି ଛାତ୍ରଛାତ୍ରୀ ଯଦି ଅସୁସ୍ଥ ଅନୁଭବ କରନ୍ତି ତେବେ ତୁରନ୍ତ ମହାବିଦ୍ୟାଳୟ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା ପାଇଁ ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଜଣାଇଛନ୍ତି ।
ରିପୋର୍ଟ: ରତ୍ନାକର ମହାରଣା


