
ମୟୂରଭଞ୍ଜ, ୦୨/୦୪/୨୧ (ଜିଲ୍ଲା ଖବର) : କୋଟିପତି ଗଞ୍ଜେଇ ମାଫିଆ ଗିରଫ । ମାଫିଆ ନିକଟରୁ ଜବତ ହୋଇଛି ଲକ୍ଷାଧିକ ଟଙ୍କାର ଗଞ୍ଜେଇ । ଜନବସତିରେ ଦୁଇ ବର୍ଷ ହେବ କରି ଚାଲିଥିଲା ଗଞ୍ଜେଇ କାରବାର । ଏଭଳି କିଛି ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଶେଷସୂତ୍ରରୁ ଖବର ପାଇ ସ୍ପେଶାଲ୍ ସ୍କ୍ୱାର୍ଡ ସହିତ ପୋଲିସ୍ ମିଳିତ ଭାବେ ଚଢାଉ କରି ଗଞ୍ଜେଇ ମାଫିଆକୁ ଗିରଫ କରିଛି । ବାବୁ ରୁହନ୍ତି ଆଲୀଶାନ ବଙ୍ଗଳାରେ ହେଲେ ଗଞ୍ଜେଇ ରଖନ୍ତି ଭଙ୍ଗା ଦଦରା ଘର ଭିତରେ । କେବଳ ନିଜ ଘରେ ନୁହେଁ ଉଦଳାରେ ମଧ୍ୟ ସେ ଏକ ଘର ନେଇ ସେଠାରେ ରହି ଗଞ୍ଜେଇ କାରବାର କରୁଥିଲେ । ଗିରଫ ଗଞ୍ଜେଇ ମାଫିଆ ଜଣକ ହେଲେ କପ୍ତିପଦା ଥାନା କୟାଁଖୁଂଟା ଗ୍ରାମର ଶରତ ନାଏକ । ସ୍ପେଶାଲ୍ ସ୍କ୍ୱାର୍ଡ ଏବଂ ପୋଲିସ୍ ଗତକାଲି ରାତିରେ ଗଞ୍ଜେଇ ମାଫିଆ ଶରତ ର ବାସଭବନ କୟାଁଖୁଂଟାରେ ଚଢାଉ କରିଥିବା ବେଳେ ସେଠାରୁ ଏକ କୁଇଂଟାଲ ଗଞ୍ଜେଇ ସହିତ ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ମଧ୍ୟ ଜବତ କରିଛି ।



