Monday, November 16, 2026
Home ଆଞ୍ଚଳିକ ଉତ୍କଳ ସେବାନିବୃତ୍ତ ସେନାନୀର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ

ଉତ୍କଳ ସେବାନିବୃତ୍ତ ସେନାନୀର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ

23

ଭୁବନେଶ୍ୱର, ୦୧/୦୪(ଜିଲ୍ଲା ଖଵର) : ପବିତ୍ର ଉତ୍କଳ ଦିବସ ଅବସରରେ ଆଜି ଉତ୍କଳ ସେବାନିବୃତ୍ତ ସେନାନୀର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସେନାନୀର କାର୍ଯ୍ୟକର୍ତ୍ତାମାନେ ପ୍ରତ୍ୟେକ ଓଡିଆଙ୍କ ପ୍ରାତଃ ସ୍ମରଣୀୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ରାଜଭବନ ସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଓଡ଼ିଆ ଭାଷା, ମାଟି ଓ ସଂସ୍କୃତିର ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ସମସ୍ତ ପ୍ରମୁଖ ମହାପୁରୁଷଙ୍କ ସ୍ମରଣ କରିଥିଲେ । ବର୍ତ୍ତମାନ ଓଡ଼ିଶାର ସାମାଜିକ, ସାଂସ୍କୃତିକ ତଥା ଭାଷାଗତ ସ୍ଥିତି ଉପରେ ସଭ୍ୟମାନେ ଚିନ୍ତା ପ୍ରକଟ କରିଥିଲେ । କେଉଁଠି ପଡ଼ୋଶୀ ରାଜ୍ୟ ଆମର ଗାଁ ଗଣ୍ଡା ଅକ୍ତିଆର କଲାଣି ତ କିଏ ମହାନଦୀର ପାଣି ଅଟକେଇ ଓଡ଼ିଶାକୁ ମରୁଭୂମିରେ ପରିଣତ କରିବାର ଯୋଜନା କଲାଣି । ରାଜ୍ୟରେ ଇଂରାଜୀ ଭାଷା ଓଡ଼ିଆ ବିଦ୍ୟାଳୟର ଅସ୍ତିତ୍ବ ହଜେଇ ଦେବାକୁ ବସିଲାଣି । ଓଡ଼ିଆ ବିଦ୍ୟାଳୟରେ ପଢ଼ିବା ସମ୍ଭ୍ରାନ୍ତ ଓଡ଼ିଆ ଘରର ପିଲାଙ୍କ ପାଇଁ ଲଜ୍ଜାଜନକ ହେବାର ଧାରଣା ସୃଷ୍ଟି ହୋଇଛି । କେବଳ ସରକାରଙ୍କୁ ସମାଲୋଚନା କରିବା ସମସ୍ୟାର ସମାଧାନ ନୁହେଁ ବରଂ ସମସ୍ତେ ମିଶି ଏହାର ସମାଧାନ ରାସ୍ତା ବାହାର କରିବାକୁ ହେବ ବୋଲି କହିଛନ୍ତି ସେନାନୀର ଆବାହକ ଭେଟେରାନ୍ ପ୍ରଦୀପ୍ତ କୁମାର ସ୍ବାଇଁ । ସେନାନୀ ସେଥିପାଇଁ ସମସ୍ତ ଓଡ଼ିଆପ୍ରେମୀ ସାମାଜିକ ସଂଗଠନଙ୍କ ସମେତ ସରକାରଙ୍କ ନିକଟରେ ସହଯୋଗୀ ମନୋଭାବ ରଖି କାର୍ଯ୍ୟ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ପବିତ୍ର ଉତ୍କଳ ଦିବସ ଅବସରରେ ସେନାନୀର କାର୍ଯ୍ୟକର୍ତ୍ତାମାନେ ରାଜଧାନୀରେ ଅବସ୍ଥାପିତ ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଦେବ, ବୀର ସୁରେନ୍ଦ୍ର ସାଏ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ପରିକ୍ରମା କରି ଓଡ଼ିଶାବାସୀଙ୍କ ପାଇଁ ମଙ୍ଗଳ କାମନା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭେଟେରାନ୍ ଦୀପକ ମଲ୍ଲିକ, ଦିବାକର ବେହେରା, ଅରୁଣ କୁମାର ପତି, କେଦାରନାଥ ଜେନା, ଅରୁଣ ସାମନ୍ତରାୟ, ଦୀନବନ୍ଧୁ ଷଡ଼ଙ୍ଗୀ, ବିକ୍ରମ ବିଶ୍ୱାଳ, ପ୍ରଭାତ କୁମାର ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ ।