
କଟକ, ୦୧/୦୪/୨୧ (ଜିଲ୍ଲା ଖବର) : ଉତ୍କଳ ଦିବସ ଉପଲକ୍ଷେ ରାଜ୍ୟରେ ଲୋକାର୍ପଣ ହୋଇଛି ଗାନ୍ଧିଜୀଙ୍କ ସର୍ବବୃହତ ବ୍ରୋଞ୍ଚ ପ୍ରତିମୂର୍ତ୍ତି । ମହାତ୍ମା ଗାନ୍ଧୀଙ୍କ କଟକ ଗସ୍ତ ସମୟରେ କାଠଯୋଡି ନଦୀପଠାରେ କରିଥିବା ବୈଠକର ପ୍ରତିଛବିକୁ ବ୍ରୋଞ୍ଜର ପ୍ରତିମୂର୍ତ୍ତିରେ ସ୍ଥାପିତ କରାଯାଇଛି । ଏହି ପ୍ରତିମୂର୍ତ୍ତିକୁ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଉଦଘାଟନ କରିଛନ୍ତି । ୧୯୨୧ ମସିହା ମାର୍ଚ୍ଚ ୨୩ରେ କଟକର କାଠଯୋଡି ନଦୀପଠାରେ ଆୟୋଜନ ହୋଇଥିବା ସଭାରେ ଯୋଗ ଦେଇଥିଲେ ଗାନ୍ଧିଜୀ । ସେହି ସମୟର ଏକ ଦୃଶ୍ୟପଟକୁ ନେଇ ତିଆରି ହୋଇଥିବା ଏହି ବିରାଟ ପ୍ରତିମୂର୍ତ୍ତି ନିଶ୍ଚିତରୂପେ କଟକକୁ ଆସୁଥିବା ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବ । ବେଲ ଭ୍ୟୁଠାରେ ନିର୍ମିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିର ଓସାର ୨୫ ଫୁଟ ଓ ଉଚ୍ଚତା ୧୨ ଫୁଟ । ୨୫ ଫୁଟ ଓସାର ଏବଂ ୧୨ ଫୁଟ ଉଚ୍ଚତାର ଏହି ପ୍ରତିମୂର୍ତ୍ତି ତିଆରି କରିଛନ୍ତି ଲକ୍ଷ୍ମୀଧର ରଣା । ଗାନ୍ଧିଜୀଙ୍କ ଓଡ଼ିଶା ଆଗମନକୁ ଶହେ ବର୍ଷ ପୂରଣ ଅବସରରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସହରର ପ୍ରବେଶ ପଥ ବେଲଭ୍ୟୁ ଛକରେ ଏହାକୁ ସ୍ଥାନିତ କରାଯାଇଛି ।



