ନିଆଁ ଆଁରେ 4ଟି ପରିବାରର 8 ବଖରା ଜଳିଗଲା, 5 ଗୁରୁତର

20

କେନ୍ଦ୍ରାପଡ଼ା,୩୦/୦୩/୨୧ (ଜିଲ୍ଲା ଖବର) :  ଟାଉନ ସର୍କଲ ଅନ୍ତର୍ଗତ ଇମାମବାଡ଼ା ୱାର୍ଡରେ ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ୮ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏଥିରେ 5 ଜଣ ଗୁରୁତର ଆହତ ହୋଇଛନ୍ତି  ।  ସୂଚନା ମୁତାବକ ସୋମବାର ରାତି ୪ଟା ସମୟରେ ଗାଁର ଫକୀର ଖାଁଙ୍କ ଘରେ ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଯାଇଥିଲା । ଘରେ ଶୋଇଥିବା ଅବସ୍ଥାରେ କେହି କିଛି ଜାଣିବା ପୂର୍ବରୁ ଚାହୁଁ ଚାହୁଁ ନିଆଁ ବ୍ୟାପି ଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ ୨ଜଣ ଗୁରୁତରଙ୍କୁ କଟକ ବଡ଼ ଡ଼ାକ୍ତରଖାନା ପଠାଯାଇଥିବା ବେଳେ ୩ଜଣ ଆହତ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି  ଓ ୩ ଜଣଙ୍କୁ ଆଶୁ ଚିକିତ୍ସା ପରେ ଘରକୁ ପଠାଯାଇଛି । ଏହି ଅଗ୍ନିକାଣ୍ଡ ଫଳରେ ଫକୀର ଖାଁ, ବସିର ଖାଁ, ବାବୁ ଖାଁ ଓ ସାକୀର ଖାଁଙ୍କ ପରିବାର ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ନିଆଁର ଆଁରୁ ପିନ୍ଧା ଲୁଗା ବ୍ୟତୀତ କୌଣସି ପ୍ରକାର ଜିନିଷ ଉଦ୍ଧାର ହୋଇପାରିନାହିଁ। ଲକ୍ଷାଧିକ ଟଙ୍କାର ସୁନାଗହଣା ସମେତ ବହୁ ମୂଲ୍ୟବାନ ପଦାର୍ଥ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ତିନୋଟି ଗାଡି ପହଞ୍ଚିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଘର ପୋଡି ପାଉଁଶ ହୋଇଯାଇଥିଲା । ଏହି ଅଗ୍ନିକାଣ୍ଡରେ ଜଣେ ୧ବର୍ଷର ଶିଶୁ ମଧ୍ୟ ଆହତ ହୋଇଛି ।