
ଝାଡଖଣ୍ଡ, ୨୮/୦୩/୨୧ (ଜିଲ୍ଲା ଖବର) : ଘରେ ବିସ୍ଫୋରଣ ଘଟି ଗୋଟିଏ ପରିବାରର 4 ଜଣ ଜୀବନ୍ତ ଦଗ୍ଧ । ଝାଡଖଣ୍ଡ ଗିରିଡିହ ଜିଲ୍ଲାର ଟିସ୍ରି ପୋଲିସ ଷ୍ଟେସନ ସୀମାରେ ଥିବା ଏକ ଘରେ ବିସ୍ଫୋରଣ ହେତୁ ଉକ୍ତ ପରିବାରର ଚାରି ଜଣଙ୍କର ମୃତ୍ୟୁ ଘଟିଛି । ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପ୍ରାଥମିକ ତଦନ୍ତରୁ ଏହା ଏକ ସିଲିଣ୍ଡର ବିସ୍ଫୋରଣ ପରି ଅନୁମାନ କରାଯାଉଛି । ଏନେଇ ଗିରିଡିହ ଏସପି ଅମିତ ରେନୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଏହି ଘଟଣା ଯୋଗୁଁ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ବର୍ତ୍ତମାନ ପୋଲିସ କିଛି କହିବାକୁ ବାରଣ କରୁଛି। ଉଭୟ ଗ୍ୟାସ ସିଲିଣ୍ଡର ଏବଂ ବୋମା ବିସ୍ଫୋରଣ କୋଣ ଯାଞ୍ଚ କରୁଛି ପୋଲିସ। ଗ୍ରାମବାସୀଙ୍କ କହିବାନୁସାରେ, ରାତି ପ୍ରାୟ 9 ଟା ସମୟରେ ଗାଁର ଅଧିକାଂଶ ଲୋକ ଖାଦ୍ୟ ଖାଇବା ପରେ ଶୋଇପଡିଥିଲେ, ସେହିସମୟରେ ହଠାତ୍ ଲୋକମାନେ ଏକ ଉଚ୍ଚ ଶଦ୍ଧ ଶୁଣିବାକୁ ପାଇଥିଲେ । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଦୁଇ କିଲୋମିଟର ଦୂରରେ ଥିବା ଲୋକମାନେ ଏହାର ଶବ୍ଦ ଶୁଣିବାକୁ ପାଇଥିଲେ । ଗାଁର କିଛି ଲୋକ ଏହି ଘଟଣା ବିଷୟରେ କହିଛନ୍ତି ଯେ ଗ୍ୟାସ ସିଲିଣ୍ଡର ଫାଟିଯିବା କାରଣରୁ ଏହି ଦୁର୍ଘଟଣା ଘଟିଛି ତେବେ କେହି କେହି କହିଛନ୍ତି ଯେ ଘରେ ବିସ୍ଫୋଟକ ଲଗାଇ ଘର ଉଡାଇ ଦିଆଯାଇଛି । ତେବେ ବର୍ତ୍ତମାନ ପୋଲିସର ତଦନ୍ତ ପରେ ହିଁ ପ୍ରକୃତ କାରଣ ଜାଣିପାରିବେ।


