
ନୂଆଦିଲ୍ଲୀ, ୨୭/୦୩/୨୧ (ଜିଲ୍ଲା ଖବର) : ଅପ୍ରେଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଚଳିତ ବର୍ଷ ଆଇପିଏଲ ସଂସ୍କରଣ । ଏହି ଆଇପିଏଲ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛି ତିନି ଥର ଆଇପିଏଲ ଚାମ୍ପିଅନ ଚେନ୍ନଇ ସୁପର କିଙ୍ଗସ । ଅଧିନାୟକ ଧୋନିଙ୍କ ନେତୃତ୍ୱରେ ଦଳ ପ୍ରଥମେ ଚେନ୍ନଇରେ ଏବଂ ପରବର୍ତ୍ତୀ ସମୟରେ ମୁମ୍ବାଇରେ ସେମାନଙ୍କ ପ୍ରଶିକ୍ଷଣ ଜାରି ରଖିଛନ୍ତି । ଆହତ ସମସ୍ୟା ଯୋଗୁଁ ଭାରତୀୟ ଦଳରୁ ବାଦ ପଡିଥିବା ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଚେନ୍ନଇ ସୁପର କିଙ୍ଗସ କ୍ୟାମ୍ପରେ ଯୋଗ ଦାନ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଜାଡେଜା ଦକ୍ଷିଣ ମୁମ୍ବାଇର ଏକ ଷ୍ଟାର ହୋଟେଲରେ ନିଜର ସାତ ଦିନିଆ କ୍ୱାରେଣ୍ଟିନ ପିରିୟଡରେ ରହିଛନ୍ତି ଏବଂ ୨୦୦୮ ଆଇପିଏଲ ସିଜିନରୁ ଚେନ୍ନାଇ ସୁପର କିଙ୍ଗସ ଦଳର ଉପ ଅଧିନାୟକ ଦାୟିତ୍ୱରେ ରହିଆସୁଥିବା ସୁରେଶ ରାଇନାଙ୍କ ସ୍ଥାନରେ ଚଳିତ ବର୍ଷ ଜାଡେଜାଙ୍କୁ ଦାୟିତ୍ୱ ମିଳିବ ବୋଲି ଶୁଣିବାକୁ ମିଳୁଛି ।
ଦଳର କୌଣସି ବିଦେଶୀ ଖେଳାଳି କ୍ୟାମ୍ପରେ ଯୋଗ ଦେଇ ନଥିବା ବେଳେ ମହେନ୍ଦ୍ର ସିଂ ଧୋନି, ଅମ୍ବାତି ରାୟୁଡୁ, ରିତୁରାଜ ଗାୟେକୱାଡ ପ୍ରମୁଖ ଖେଳାଳି ସେମାନଙ୍କ ଅଭ୍ୟାସ ଜାରି ରଖିଛନ୍ତି । ପୂର୍ବ ବର୍ଷ ଆଇପିଏଲ ସିଜିନରେ ପ୍ରଥମ ଥର ପାଇଁ ଚେନ୍ନଇ ଦଳ କ୍ୱାଲିଫାଏ ଖେଳିବାରୁ ବଂଚିତ ହୋଇଥିଲା । ଚଲିତ ବର୍ଷ ଅପ୍ରେଲ ୧୦ ରେ ଦିଲ୍ଲୀ କ୍ୟାପିଟାଲସ ବିପକ୍ଷରେ ଆଇପିଏଲ ଅଭିଯାନ ଆରମ୍ଭ କରିବ ଚେନ୍ନାଇ ।





