
ବାଲିଗୁଡା,୨୫/୦୩{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ରେବିଙ୍ଗିଆ ଜଙ୍ଗଲ ରୁ ମାଟି ତଳୁ ମିଳିଲା କଙ୍କାଳ lରେବିଙ୍ଗିଆ ପଞ୍ଚାୟତର ଟିକୁନ ଗୌଡ଼ ନାମକ ଜଣେ ବ୍ୟକ୍ତି ଫେବୃଆରୀ 22 ତାରିଖରୁ ନିଖୋଜ ଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କରି ନପାଇବାରୁ ମାର୍ଚ୍ଚ 4 ତାରିଖରେ ବାଲିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ । ବୁଧବାର ଦିନ ରେବିଙ୍ଗିଆ ଅଞ୍ଚଳର କିଛି ଲୋକ ତୁଲିପାଜୁ ଜଙ୍ଗଲକୁ ମହୁଲ ଗୋଟେଇବାକୁ ଯାଇଥିବା ବେଳେ ଜଙ୍ଗଲରେ ଦୁର୍ଗନ୍ଧ ପାଇ ଅଞ୍ଚଳ ବାସୀଙ୍କୁ ଜଣାଇଥିଲେ । ଏହାପରେ ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକେ ଜଙ୍ଗଲକୁ ଯାଇ ଦେଖିବାପରେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଁଚି ଛାନଭିନ୍ ଆରମ୍ଭ କରିଛି। ଏକଜୁକୁଟିଭ୍ ମାଜିଷ୍ଟ୍ରେଟ ହରିଶ୍ଚନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ମାଟିତଳୁ କଙ୍କାଳ ଉଦ୍ଧାର କରାଯାଇଛି । କଙ୍କାଳରୁ ମିଳିଥିବା ଗାମୁଛା,ସାର୍ଟ ଓ ଲୁଙ୍ଗିକୁ ଦେଖି ଏହା ନିଖୋଜ ଟିକୁନ୍ ଗୌଡ଼ଙ୍କର କଙ୍କାଳ ବୋଲି ପରିବାର ଲୋକେ ଦାବି କରିଛନ୍ତି । ସେପଟେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସମେତ ବାଲିଗୁଡ଼ା ଏସଡିପିଓ ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଁଚି ଛାନଭିନ୍ ଆରମ୍ଭ କରିଛନ୍ତି । କଙ୍କାଳକୁ ଜବତ କରି ଫୋରେନସିକ୍ ଲ୍ୟାବକୁ ପଠାଇଛି ପୋଲିସ୍ । ସମ୍ପୂର୍ଣ୍ଣ ଯାଞ୍ଚ୍ ପରେ କଙ୍କାଳର ପ୍ରକୃତ ପରିଚୟ ମିଳିପାରିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ଏବଂ ଅଭିଯୋଗ ପ୍ରକାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନିଜ ସମ୍ପର୍କୀୟ ଲୋକେ ଏହି ହତ୍ୟାକାଣ୍ଡ କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।



