Tuesday, November 17, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲାରେ ଦଣ୍ଡନାଚକୁ ନେଇ ଗାଇଡ଼ ଲାଇନ ଜାରୀ କଲା ଜିଲ୍ଲା ପ୍ରଶାସନ

କନ୍ଧମାଳ ଜିଲ୍ଲାରେ ଦଣ୍ଡନାଚକୁ ନେଇ ଗାଇଡ଼ ଲାଇନ ଜାରୀ କଲା ଜିଲ୍ଲା ପ୍ରଶାସନ

156

ବାଲିଗୁଡା,୨୫/୦୩{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲାର ଗଣପର୍ବ ଦଣ୍ଡନାଚ ପାଳନ ନେଇ ଜିଲ୍ଲା ପ୍ରଶାସନ ଏସ୍‌ଓପି ଜାରି କରିଛି। କୋଭିଡ୍ ଗାଇଡଲାଇନ ପାଳନ ସହ କଡ଼ା କଟକଣା ମଧ୍ୟରେ ଦଣ୍ଡନାଚ ପାଳନ କରାଯିବା ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ବାରୋପ କରିଛି। ଦଣ୍ଡନାଚ ସମୟରେ ଅପେରା, ଯାତ୍ରା, ଡିଜେ, ଡାକବାଜି ଯନ୍ତ୍ର, ମେଳା, ନୃତ୍ୟ, ଗୀତ, ଭିଡ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଦଣ୍ଡନାଚରେ କେବଳ ପ୍ରଥା ଅନୁସାରେ ପୂଜା କାର୍ଯ୍ୟ ସମ୍ପନ୍ନ କରାଯିବ। ଯେଉଁ ଗ୍ରାମରେ ମେରୁ ଓ କଳସ ଯାତ୍ରା ସମ୍ପନ୍ନ ହେବ, ସେଥିରେ 50 ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ।

ବିଭିନ୍ନ ମନ୍ଦିର ଓ ଧାର୍ମିକସ୍ଥଳରେ କେବଳ ଠାକୁରଠାକୁରାଣୀଙ୍କ ପୂଜା କାର୍ଯ୍ୟ ସମ୍ପନ୍ନ କରାଯିବ ଏବଂ କୌଣସି ପରିସ୍ଥିତିରେ ସେଠାରେ 10 ରୁ ଅଧିକ ଲୋକ ରୁଣ୍ଡ ହୋଇପାରିବେ ନାହିଁ। ଏହି ସମୟରେ ସମସ୍ତ ଭକ୍ତ ଓ ଦଣ୍ଡୁଆ ସାମାଜିକ ଦୂରତ୍ବ ରକ୍ଷା କରିବା ସହ ମୁହଁରେ ମାସ୍କ୍ ପିନ୍ଧିବେ ଓ ହାତକୁ ସାନିଟାଇଜ୍ କରିବେ। ସେହିପରି କୌଣସି ଆବଦ୍ଧ କ୍ଷେତ୍ର ମଧ୍ୟରେ ଦଣ୍ଡନାଚ କରାଯାଇପାରିବ ନାହିଁ। ଦଣ୍ଡନାଚ ସମୟରେ ସାଧାରଣ ଦର୍ଶକ ଜମା ହୋଇ ପାରିବେ ନାହିଁ। ଦଣ୍ଡନାଚ ଆୟୋଜକ ଏବଂ ଦଣ୍ଡୁଆମାନେ ସରକାରଙ୍କ କୋଭିଡ୍‌-୧୯ ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦେବେ। ଦଣ୍ଡନାଚ ସମୟରେ ଭକ୍ତ ଏବଂ ଦଣ୍ଡୁଆମା‌ନେ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ। କୋଭିଡ୍ କିମ୍ବା ଫ୍ଲୁ ଲକ୍ଷଣ ଥିବା ଦଣ୍ଡୁଆ ଏବଂ ଭକ୍ତମାନଙ୍କୁ ଦଣ୍ଡନାଚ ସ୍ଥଳକୁ ବାରଣ କରାଯିବ। ଆୟୋଜକମାନେ ଏଥିପ୍ରତି ଦୃଷ୍ଟି ଦେବା ବାଧ୍ୟତାମୂଳକ। ଦଣ୍ଡନାଚ ବେଳେ ଅନାବଶ୍ୟକ ଭିଡ଼କୁ ଯେତେଦୂର ସମ୍ଭବ ରୋକାଯିବା ଉପରେ ଆୟୋଜକ ମାନେ ଗୁରୁତ୍ବ ଦେବେ। ଦଣ୍ଡନାଚ ବେଳେ କୌଣସି ପ୍ରକାର ପଂକ୍ତି ଭୋଜନ ଏବଂ ସାମୂହିକ ଭୋଜିକୁ କଡ଼ାକଡ଼ି ଭାବେ ବାରଣ କରାଯିବ। ଦଣ୍ଡନାଚ ସମୟରେ କେହି ପାନ ଓ ଗୁଟ୍‌ଖା ଚୋବାଇ ଏଣେତେଣେ ଛେପ ପକାଇ ପାରିବେ ନାହିଁ। ଏଥିପ୍ରତି ଆୟୋଜକ ମାନେ ଦୃଷ୍ଟି ଦେବା ଜରରୁ ।