
ଜଟଣୀ,୨୪/୦୩(ଜିଲ୍ଲା ଖଵର) : ଖୋର୍ଦ୍ଧାରୋଡ ରେଳମଣ୍ଡଳର ଖୋର୍ଦ୍ଧାରୋଡ ଷ୍ଟେସନରେ ଟ୍ରେନ ମଧ୍ୟରେ ଧୂମପାନ ଏବଂ ଦହନଶିଳ ପଦାର୍ଥ ପରିବହନ ଉପରେ ରୋକ ଲଗାଇବାଲାଗି ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଟ୍ରେନରେ ଯାତ୍ରୀମାନଙ୍କ ସୁରକ୍ଷା ଓ ଅଗ୍ନିକାଣ୍ଡକୁ ରୋକିବାଲାଗି ଲହି ପ୍ରୟାସ ଆରମ୍ଭ ହୋଇଛି । ଏଥିରେ ଟ୍ରେନଯାତ୍ରୀ,ରେଳ ସମ୍ପତି ଏବଂ ଧନଜିବନ ନଷ୍ଟ ହେବାର ଆଶଙ୍କାକୁ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ ବୋଲି ରେଳପଥ ପକ୍ଷରୁ ସୁଚନା ମିଳିଛି । ସମସ୍ତ ହିତାଧିକାରୀ ଅର୍ଥାତ ରେଳବ୍ୟବହାରକାରୀ, ରେଳଷ୍ଟେସନରେ କାର୍ଯ୍ୟରତ ରେଳ ଓ ଅଣରେଳ କର୍ମଚାରୀ, ପାର୍ସଲ କର୍ମଚାରୀ,ଲିଜ ଧାରକ,କ୍ୟାଟେରୀଂ କର୍ମଚାରୀମାନଙ୍କୁ ସଚେତନତା କରିବାଲାଗି ଖୋର୍ଦ୍ଧାରୋଡ ରେଳମଣ୍ଡଳ ଦ୍ୱାରା ୧୫ଦିନିଆ ବୃହତ ସଚେତନତା ଡ୍ରାଇଭ ଆରମ୍ଭ ହୋଇଛି । ଧୂମପାନ ନିଷେଧ ଲାଗୁ କରିବା,ରେଳ ସ୍ଲିପର-କମ-ଲଗେଜ ରେକ୍ ଓ ପାର୍ସଲ ଭ୍ୟାନ ଇତ୍ୟାଦିରେ ଦହନଶିଳ ସାମଗ୍ରୀକୁ ରୋକିବାଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ରେଳ ପରିସରରେ ପ୍ୟାଟ୍ରିଂକାର ସମେତ ପ୍ରଦାହଜନକ ତଥା ବିସ୍ଫୋରକ ସାମଗ୍ରୀ ପରିବହନ ବିରୋଧରେ ଟ୍ରେନଗୁଡିକରେ ମାତ୍ରାଧିକ ଯାଂଚ ଆରମ୍ଭ ହୋଇଛି । ଉଲଂଘନକାରୀଙ୍କୁ ରେଳପଥ ଆକ୍ଟର ସମ୍ପୃକ୍ତ ବିଭାଗ ଅଧିନରେ ମାମଲା ରୁଜୁ କରାଯାଉଛି । ଦହନଶିଳ ପଦାର୍ଥ ଏବଂ ବିସ୍ଫୋରକ ସାମଗ୍ରୀକୁ ବୁକିଂ ହେବା ସମ୍ଭାବନାକୁ ରୋକ ଲଗାଇବା ପାଇଁ ପାର୍ସଲ କାର୍ଯ୍ୟାଳୟ ଏବଂ ପାର୍ସଲଭ୍ୟାନର ଯାଂଚ ମଧ୍ୟ କରାଯାଉଛି । ଏହା ବ୍ୟତିତ ଟ୍ରେନ ଓ ଲିଫ୍ଟ,ଏସ୍କାଲେଟର ପ୍ରଭୃତିରେ ଉପଲବ୍ଧ ଅଗ୍ନି ନିର୍ବାପକ ଯନ୍ତ୍ରର ଅବଧୀ ଯାଂଚ କରାଯାଉଛି । ଆଜିର ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାରୋଡ ରେଳପ୍ରବନ୍ଧକ ଶଶିକାନ୍ତ ସିଂଙ୍କ ମାଗଦର୍ଶିକାରେ ଟ୍ରେନ ମାଧ୍ୟମରେ ଓ ରେଳପରିସରରେ ଧୂମପାନ ତଥା ଦହନଶିଳ ସାମଗ୍ରୀ ପରିବହନ ଉପରେ ଶକ୍ତ କଟକଣା ଲାଗୁ କରାଯାଇଛି । ତେଣୁ ରେଳ ପରିସରରେ ଅଗ୍ନିକାଣ୍ଡ ରୋକିବାରେ ସହଯୋଗ କରିବାକୁ ମଣ୍ଡଳପ୍ରବନ୍ଧକ ଅନୁରୋଧ କରିଛନ୍ତି ।


