
ଭୁବନେଶ୍ୱର,୨୪/୦୩/୨୧ (ଜିଲ୍ଲା ଖବର) : ଯାଆଁଳା ପୋଲିସ କ୍ୟାମ୍ପସରୁ କଙ୍କାଳ ଉଦ୍ଧାର ଘଟଣା । ମହିଳାଙ୍କ ପରିଚୟ ଖୋଜୁଛି କମିଶନରେଟ୍ ପୋଲିସ । ଏଥିପାଇଁ ମହିଳାଙ୍କ ସ୍କେଚ ପ୍ରସ୍ତୁତ କରି ଚାରିଆଡେ ପୋଷ୍ଟର ମାରିଛି ପୋଲିସ । ରାଜଧାନୀର ବସ ଷ୍ଟାଣ୍ଡ, ରେଲୱେ ଷ୍ଟେସନ ଓ ଜନଗହଳିପୂର୍ଣ୍ଣ ଜାଗା ଦେଖି ଏହି ପୋଷ୍ଟର ମରାଯାଇଛି । ଏପରିକି ଭୁବନେଶ୍ୱର ଆଖପାଖ ଗାଁ ମାନଙ୍କରେ ମଧ୍ୟ ଏହି ପୋଷ୍ଟର ମରାଯିବ । ଏହି ପୋଷ୍ଟରରେ ମହିଳାଙ୍କ ବୟସ ୩୫ରୁ ୪୫ ବର୍ଷ । ସେ ଯକ୍ଷ୍ମା ରୋଗରେ ପୀଡିତ ଥିଲେ । ୨୦୨୦ ମସିହା ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ମହିଳା ନିଖୋଜ ଥିବା ଅନୁମାନ କରାଯାଉଛି । ମହିଳାଙ୍କ ଡାହାଣ ହାତରେ ୪ଟି ଆଲୁମିନିୟମ ଚୁଡି, ଗୋଟିଏ ସବୁଜ ରଙ୍ଗର ପୁରା ହାତ ସ୍ୱେଟର ଥିଲା ବୋଲି ପୋଷ୍ଟର ଉଲ୍ଲେଖ ରହିଛି । ମହିଳାଙ୍କ ପରିଚୟ ମିଳିବା ପରେ ତଦନ୍ତର ଆଗକୁ ବଢିବ ବୋଲି ପୋଲିସ ସୂଚନା ଦେଇଛି ।


