
ଅନୁଗୁଳ,୨୪/୦୩/୨୧ (ଜିଲ୍ଲା ଖବର) : ସଟଡାଉନ ହେଲା ତାଳଚେର ଥର୍ମାଲ ପାୱାର ଷ୍ଟେସନ । ଏନଟିପିସିର ୪୬୦ ମେଗାୱାଟ ବିଶିଷ୍ଟ ତାଳଚେର ଥର୍ମାଲ ପାୱାର ଷ୍ଟେସନକୁ ସୋମବାର ମଧ୍ୟରାତ୍ରୀ ପରେ ବନ୍ଦ କରି ଦିଆଯାଇଛି । ପରିବେଶ ପ୍ରଦୁଷଣ ମଞ୍ଜୁରୀ ଅବଧି ଚଳିତ ମାର୍ଚ୍ଚ ୩୧ ତାରିଖରେ ସମାପ୍ତ ହେବା ପରେ କର୍ତ୍ତୃପକ୍ଷ ଗତ ମଧ୍ୟ ରାତ୍ରୀ ପରେ ଏହାର ସମସ୍ତ ୬ଟି ୟୁନିଟକୁ ସଟଡାଉନ କରିଥିଲେ । ଏଥିସହ ବିଦ୍ୟୁତ ଉତ୍ପାଦନ ମଧ୍ୟ ଏଠାରୁ ବନ୍ଦ ହୋଇଯାଇଛି । ଦୀର୍ଘ ୫୦ ବର୍ଷର ଏହି ପୁରୁଣା ପ୍ଲାଣ୍ଟ ପ୍ରଥମେ ଓଡ଼ିଶା ସରକାରଙ୍କ ଦ୍ୱାରା ଏବଂ ପରେ ଏନଟିପିସି ଦ୍ୱାରା ଅଧିଗୃହିତ ହୋଇ ପରିଚାଳିତ ହୋଇଆସୁଥିଲା । ଏଠାରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପ୍ରାୟ ୨ହଜାର ପାଖାପାଖି ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ କାର୍ଯ୍ୟ କରୁଥିଲେ । ତେବେ ପ୍ଲାଣ୍ଟ ଏହାର ନିଜସ୍ୱ ଅଧିକାରୀ ଏବଂ ସ୍ଥାୟୀ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରିଥିବାର ସୂଚନା ମିଳିଥିବାବେଳେ ଠିକା କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଇଛି ।


