ମାଲକାନଗିରିରେ ଜୋରଦାର ହେଲା କଟକଣା, ବାହାର ରାଜ୍ୟରୁ ଆସିଲେ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ

41

ମାଲକାନଗିରି, ୨୪/୦୩/୨୧ (ଜିଲ୍ଲା ଖବର):  ମାଲକାନଗିରିରେ ଜୋରଦାର ହେଲା କଟକଣା । ବାହାର ରାଜ୍ୟରୁ ମାଲକାନଗିରି ଜିଲ୍ଲାକୁ ଆସିଲେ ଗୃହ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ ଲାଗୁ କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କୁ ୭ ଦିନ ଗୃହ ସଙ୍ଗରୋଧରେ ରହିବାକୁ ଜିଲ୍ଲାପାଳ ଡଃ.ୱାଇ. ବିଜୟ ଏକ ଗାଇଡଲାଇନ ଜାରି କରିଛନ୍ତି । ଜିଲ୍ଲାରେ ବଡଯାତ୍ରା ଆରମ୍ଭ ହୋଇଥିବା ବେଳେ ଏହି ବଡ଼ଯାତ୍ରା ସମୟରେ ଜିଲ୍ଲାକୁ ବାହାର ରାଜ୍ୟରୁ ଅନେକ ଭକ୍ତ ଆସିବାର ସମ୍ଭାବନା ରହିଛି । ତେବେ ଅନ୍ୟ ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ, ବଡ଼ଯାତ୍ରା ପାଳନ ସମୟରେ କୋବିଡ଼ ସଂକ୍ରମଣକୁ ଆଶଙ୍କା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରାତି ୯ଟାରୁ ଆସନ୍ତା ୩୧ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି । ଅନ୍ୟପଟେ ଗତକାଲି କୋରୋନା ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । କରୋନା କଟକଣାକୁ କଡାକଡି କରିଛନ୍ତି ରାଜ୍ୟ ସରକାର । ବାହାଘର ଭଳି ଉତ୍ସବରେ ଲୋକସଂଖ୍ୟା କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ବାହାଘରେ ୫ଶହ ଲୋକଙ୍କୁ ଅନୁଥିବା ବେଳେ ଏବେ ୨ଶହକୁ ହ୍ରାସ ହୋଇଛି । ଦଶାହ, ଶୁଦ୍ଧିକ୍ରିୟାରେ ଏଣିକି ୫ଶହ ଜାଗାରେ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି । ବାହାଘର, ଶୁଦ୍ଧିକାର୍ଯ୍ୟରେ ମାସ୍କ ପିନ୍ଧିବାକୁ କଡ଼ାକଡ଼ି କରାଯିବ । ନୂଆ କଟକଣା ମାର୍ଚ୍ଚ ୨୬ ତାରିଖରୁ ଲାଗୁ ହେବା ନେଇ ଘୋଷଣା ହୋଇଛି ।