
ମୟୂରଭଞ୍ଜ,୨୪/୦୩/୨୧ (ଜିଲ୍ଲା ଖବର) : ଏବେ ବି ବିପଦରେ ଏସିଆ ମହାଦେଶର ଦ୍ୱିତୀୟ ଜୈବମଣ୍ଡଳ ଶିମିଳିପାଳ । କାରଣ ପୁଣି ଥରେ ଜଳୁଛି ଶିମିଳିପାଳ । ଶିମିଳିପାଳକୁ ସୁରକ୍ଷା ଦୃଷ୍ଟିରୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି ରାଜ୍ୟ ସରକାର । ସାଟେଲାଇଟ ରିପୋର୍ଟ ଅନୁଯାୟୀ ଶିମିଳିପାଳର 31 ଟି ସ୍ଥାନରେ ଲାଗିଛି ନିଆଁ । ଦକ୍ଷିଣ ଶିମିଳିପାଳରେ 7 ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଉତ୍ତର ଶିମିଳିପାଳ 24 ଟି ସ୍ଥାନରେ ନିଆଁ ଲାଗିଛି । କିଛି ସ୍ଥାନରେ ନିଆଁକୁ ଆୟତ୍ତ କରିଥିବା ବେଳେ ଆଉ କିଛି ସ୍ଥାନରେ ଏବେ ବି ନିଆଁ ଜଳୁଛି ।ସୋମବାର ଶିମିଳିପାଳରେ ୧୫ ଟି ସ୍ଥାନ ରେ ନିଆଁ ଲାଗିଥିବା ବେଳେ ମଙ୍ଗଳବାର ୨୨ଟି ସ୍ଥାନରେ ନିଆଁ ଲାଗିବା ଯୋଗୁଁ ବନବିଭାଗର ଚିନ୍ତା ବଢ଼େଇ ଦେଇଛି । ବର୍ଷା ପରେ କିଛି ଦିନ ଶିମିଳିପାଳରେ ନିଆଁ ଲିଭି ଯାଇଥିଲା । ହେଲେ ପୁଣି ନିଆଁ ଲାଗିବା ବନବିଭାଗ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ଉତ୍ତର ଶିମିଳିପାଳର ଗୁଡ଼ଗୁଡ଼ିଆ , କେନ୍ଦୁମୁଣ୍ଡି, ଚହଲା ,ନଅଣା ପ୍ରଭୁତି ରେଞ୍ଜରେ ନିଆଁ ଲାଗିଥିବାର RCCF, ଏମ. ଯୋଗା ଦୟାନନ୍ଦ ଙ୍କ ଠାରୁ ସୂଚନା ମିଳିଛି ।



