
ଭୁବନେଶ୍ୱର, ୨୩/୦୩/୨୧ (ଜିଲ୍ଲା ଖବର) : ରାଜ୍ୟରେ ପୁଣି କୋରୋନା ଚିନ୍ତା । ଗତ 4 ଦିନ ହେଲା ଶହେ ଉପରେ ରହୁଛି ସଂକ୍ରମଣ ସଂଖ୍ୟା । ଆଜି କୋଭିଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ତେବେ ହଠାତ ସଂକ୍ରମଣ ବଢିବାକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ ଯଥାଶୀଘ୍ର ଟ୍ରାକ କରି ଟେଷ୍ଟ କରାଯିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଟେଷ୍ଟିଂ ଆହୁରି ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଗ୍ରାମାଞ୍ଚଳକୁ ସଂକ୍ରମଣ ନବ୍ୟାପିବା ପାଇଁ ଠୋସ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଗାଁରେ ପୁଣିଥରେ ସକ୍ରିୟ ହେବ କୋଭିଡ ମ୍ୟାନେଜମେଣ୍ଟ କମିଟି । ପରିଚାଳନା ଦାୟିତ୍ୱରେ ସରପଞ୍ଚ ଓ ୱାର୍ଡ ମେମ୍ବର ମାନଙ୍କୁ କରାଯିବ ସାମିଲ । ସେହିପରି ଆଶା ଓ ଅଙ୍ଗନଓ୍ୱାଡି କର୍ମୀ ମାନେ ଗାଁ ଗାଁ ବୁଲି କୋଭିଡ ସଂକ୍ରମଣକୁ ନେଇ ସଚେତନ କରିବେ ବୋଲି ଏସଆରସି କହିଛନ୍ତି । ଅନ୍ୟପଟେ ଡିଜି ମଧ୍ୟ ଏନଫୋର୍ସମେଣ୍ଟ ନେଇ ଏସପି ମାନଙ୍କୁ ଦେଇଛନ୍ତି କଡା ନିର୍ଦ୍ଦେଶ । ନିର୍ଦ୍ଦିଷ୍ଟ ଭାବେ ମାର୍କେଟ, ମଲ ଆଦି ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ କୋଭିଡ ନିୟମ ପାଳନ ହେଉଛି କି ନାହିଁ ସେ ନେଇ କଡାକଡି ଭାବେ ଯାଞ୍ଚ କରାଯିବ । ସେପଟେ ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଲାଗୁ କରାଯାଇଛି । ଗତକାଲି ଭୁବନେଶ୍ୱର ଏକ୍ସାଇଏମବିରୁ ଏକାଥରେ 45 ସଂକ୍ରମିତ ଚିହ୍ନଟ ପରେ ଶିକ୍ଷାନୁଷ୍ଠାନକୁ 10 ଦିନ ପାଇଁ ସିଲ କରିଛି ବିଏମସି ।


