Thursday, November 12, 2026
Home ଆଞ୍ଚଳିକ ଆବର୍ଜନାମୟ ଜଟଣୀକୁ ନେଇ ଏକନମ୍ବର ସ୍ୱଛସହରର ସ୍ୱପ୍ନ ଦେଖୁଛି ପୈାରପରିଷଦ, ସ୍ୱଛ ସର୍ବେକ୍ଷଣରେ ର‌୍ୟାଙ୍କ...

ଆବର୍ଜନାମୟ ଜଟଣୀକୁ ନେଇ ଏକନମ୍ବର ସ୍ୱଛସହରର ସ୍ୱପ୍ନ ଦେଖୁଛି ପୈାରପରିଷଦ, ସ୍ୱଛ ସର୍ବେକ୍ଷଣରେ ର‌୍ୟାଙ୍କ ମିଳିବା ଆଶା ମଉଳିବ

136

ଜଟଣୀ,୨୦/୦୩(ଜିଲ୍ଲା ଖବର) : ଆବର୍ଜନାମୟ ଜଟଣୀ ସହରକୁ ନେଇ ସ୍ୱଛଭାରତ ମିଶନ ଯୋଜନାରେ ପୈାରପରିଷଦ ଏ୍‌କନମ୍ବର ସହରର ସ୍ୱପ୍ନ ଦେଖୁଛି । ଏପରି ପରିସ୍ଥିତିରେ ସ୍ୱଛ ସର୍ବେକ୍ଷଣ ବ୍ୟବସ୍ଥାରେ ଆବର୍ଜନାମୟ ଜଟଣୀସହରପାଇଁ ପୈାରପରିଷଦକୁ ର‌୍ୟାଙ୍କ ମିଳିବା ନେଇ ଆଶା ଆଶଙ୍କାରେ ରହିଯାଇଛି । ଜଟଣୀ ପୈାରପରିଷଦ ଦ୍ୱାରା ସହରକୁ ସଫେଇ କରିବାଲାଗି ସ୍ଥାୟୀ ଓ ଅସ୍ଥାୟୀଭାବେ ୨୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ରହିଛନ୍ତି । ପରିମଳ ବ୍ୟବସ୍ଥାକୁ ତଦାରଖ କରିବାଲାଗି ପ୍ରତି ୱାର୍ଡଲାଗି ୱାର୍ଡ ଅଫିସର, ସାନିଟାରୀ କର୍ମଚାରୀ ଓ ସ୍ୱଛସାଥୀ ମଧ୍ୟ ରହିଛନ୍ତି । ମାତ୍ର ଏସବୁ ବ୍ୟବସ୍ଥା ପୈାରପରିଷଦ ମଧ୍ୟରେ ରହିଥିବା ବେଳେ ରାତିରେ ସୁଇପମେସିନ ମଧ୍ୟ କାର୍ଯ୍ୟରତ ରହିଛି । ହେଲେ ସହରଟି ବର୍ଷତମାମ ଆବର୍ଜନାମୟ ହୋଇ ରହୁଛି । ଏପରି କେତେକ ୱାର୍ଡ ରହିଛି ଯେଉଁଠି ସଫେଇ କର୍ମଚାରୀମାନଙ୍କ ଆଦୈାଂ ପାଦ ପଡିନାହିଁ । ବର୍ଷବର୍ଷରୁ ନାଳନର୍ଦ୍ଧମା ସଫା ହୋଇନାହିଁ କି ୱାର୍ଡରେ ଝାଡୁ ଲାଗିନାହିଁ । ବିଭିନ୍ନ ସମୟରେ ଅସ୍ଥାୟୀ ସଫେଇ କର୍ମଚାରୀମାନେ ସେମାନଙ୍କ ପାରିଶ୍ରମିକ,ଇପିଏଫ ଓ ଇଏସଆଇ ଇତ୍ୟାଦି ଦାବି କରି କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଦେଉଛନ୍ତି । ତେବେ ଏହି ସମୟରେ ଜଟଣୀ ସହରର ପରିମଳ ଓ ପରିବେଶ ପ୍ରତିକୂଳର ଅବସ୍ଥା କେଉଁ ସ୍ତରରେ ଥିବ ତାହା ସାଧାରଣରେ ଅନୁମେୟ । ଏତେ ସବୁ ଅଧିକାରୀ ପଦବୀରେ ରହି ମାସମାସଧରି ଅଳିଆ ଆବର୍ଜନା,ମାଟି ,ଇଟା, ପଥର,ବାଲି ଆଦି ଗଦାହୋଇ ଅସ୍ୱସ୍ଥିକର ପରିବେଶ ସୃଷ୍ଟି ହୋଇଛି । ସମସ୍ତେ ସବୁଦେଖି ନଦେଖିବାଭଳି ଯାଉଛନ୍ତି । ପ୍ରତିକାର ଉପରେ କାହାର ଚିନ୍ତାନାହିଁ । ଅନ୍ୟପଟେ ପୈାରପରିଷଦକୁ କୋଟି କୋଟି ଟଙ୍କା ବ୍ୟୟରେ ସଜ୍ୱାଯାଉଛି । ହେଲେ ସହର ଆବର୍ଜନାମୟ ହୋଇ ରହିଛି । ଅଧିକାଂଶ ୱାର୍ଡରେ ରହିଥିବା ଡ୍ରେନଗୁଡିକରେ ସ୍ଲାବ ନଥିବାରୁ ମୁକୁଳା ଡ୍ରେନରେ ବିଲେଇ, କୁକୁର,ମୂଷା ଇତ୍ୟାଦି ପଡି ପଚିସଢି ଅସ୍ୱସ୍ଥିକର ପରିବେଶ ମଧ୍ୟରେ ଲୋକମାନଙ୍କୁ ରହିବାକୁ ପଡୁଛି । ଅନ୍ୟପକ୍ଷରେ ରାସ୍ତାକଡରେ ରହିଥିବା ଶୈାଚାଳୟଗୁଡିକର ଅବସ୍ଥା କହିଲେ ନ ସରେ । ଏହି ଶୈାଚାଳୟ ଖୋଲାରହିଛି ହେଲେ ଏଥିରେ ପାଣି ବ୍ୟବସ୍ଥା ନାହିଁ । ରଖାଯାଇଥିବା ବାଲଟି ଏବଂ ମଗକୁ କେହି ଦୁର୍ବୁତ ନେଇ ପଳାଉଥିବା ଅଫିସର କହୁଛନ୍ତି । ବିଭିନ୍ନ ଅଂଚଳରୁ ଆସୁଥିବା ଅତିଥୀମାନେ ରାସ୍ତାକଡରେ ପରିଶ୍ରା କରିବାକୁ ବାଧ୍ୟ ହେଉଛନ୍ତି ନ ଚେତ ସରକାରୀ ଶୈାଚାଳୟ ଖୋଜୁଛନ୍ତି । ସାଧାରଣ ବ୍ୟବସ୍ଥାପ୍ରତି ଲୋକମାନେ ଅସୁବିଧା ଭୋଗକରୁଛନ୍ତି । ତଥାପି ଓଡିଏଫ ++ ସାର୍ଟିଫିକେଟ ପାଇବାକୁ ହକଦାର ବୋଲି ପୈାରପରିଷଦ ଦାବି କରୁଛି । ସବୁଠାରୁ ବଡ ଆଶ୍ଚର୍ଯ୍ୟଜନକ ଘଟଣା, ଜାନୁୟାରୀ ୧ ତାରିଖ ଠାରୁ ସ୍ୱଛସର୍ବେକ୍ଷଣ ଆରମ୍ଭ ହୋଇଯାଇଛି । ଏଥିରେ ପୈାରପରିଷଦ ଜାନୁୟାରୀମାସ ୪ ତାରିଖ, ୧୬ ଏବଂ ୨୨ ତାରିଖ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଏହି ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗତ ସର୍ବେକ୍ଷଣରେ ଜଟଣୀ ସହର ୩୮ ନଂ ର‌୍ୟାଙ୍କରେ ପହଁଚିଥିଲା ବେଳେ ଚଳିତଥର କେଉଁର‌୍ୟାଙ୍କରେ ରହିବ ସେ ନେଇ କର୍ମଚାରୀମାନଙ୍କୁ ସଚେତନତା କରାଯାଉଛି । ମାତ୍ର ଏହି ସ୍ୱଛସର୍ବେକ୍ଷଣରେ ଜଟଣୀ ପୈାରପରିଷଦ କିପରି ଅଧିକ ର‌୍ୟାଙ୍କ ପାଇବ ସେନେଇ କାଗଜକଲମରେ ଚାଷ ଚାଲିଛି । ଶ୍ରେୟନେବାଲାଗି ପୈାରପରିଷଦ କାଗଜକଲମରେ ଚାଷ କରୁଛି । ତେଣୁ ଆବର୍ଜନାମୟ ଜଟଣୀ ସହରକୁ ନେଇ ପୈାରପରିଷଦ କର୍ମଚାରୀମାନେ ଏକନମ୍ବର ସ୍ୱଛସହରର ସ୍ୱପ୍ନ ଦେଖୁଛନ୍ତି ।

ରୀପୋର୍ଟ ,ସଞ୍ଜୀବ କୁମାର